:: ବୃକ୍ଷ ମୋର ବନ୍ଧୁ ::
ଅନ୍ତରରେ ଥରେ ହୃଦ୍ ବୋଧ କର
ବୃକ୍ଷ ବୋଲି ମୋର ବନ୍ଧୁ ,
ଜଗତର ହିତ ସାଧିଥାଏ ସିଏ
ଅଟଇ ଦୟାର ସିନ୍ଧୁ ।।
ନିଃସ୍ୱ।ର୍ଥରେ ସିଏ ହିତ ସାଧିଥାଏ
ବଞ୍ଚିଥାଏ ଯେତେଦିନ,
ପର ଆପଣାର ବିଚାର ନ କରି
ସଭିଁଙ୍କୁ କରି ସମାନ ।।
ଜନନୀ ପରିକା ସବୁ ସହିଯାଏ
ପରହିତେ ମନ ଥୋଇ ,
ଅଙ୍ଗାରକାମ୍ଲ ପରି ଗରଳ ପିଇ ସେ
ଅମ୍ଲଜାନ ଦିଏ ଯୋଗାଇ ।।
ଧୈର୍ଯ୍ୟ ପରୋପକାରର ଜୀବନ୍ତ ପ୍ରତୀକ
ନାହିଁ ତାର ପଟାନ୍ତର ,
ସହି ସିଏ ଝଡ ବତାସୀ ପବନ
ସେବାରେ ଥାଏ ତତ୍ପର ।।
ସୁଦୂର ଗଗନେ ମେଘମାଳା ଘୋଟି
ହୁଅଇ ଜଳର ବୃଷ୍ଟି ,
ବୃକ୍ଷ ହିଁ ଜୀବନ ଏ କଥାଟି ଜାଣ
ତା ପାଇଁ ବଞ୍ଚିଛି ସୃଷ୍ଟି ।।
ବଞ୍ଚିବା ପାଇଁ କି ଖାଦ୍ୟ,ଜଳ ଦେଇ
କ୍ଷୁଧା କରିଥାଏ ଦୂର,
ପଥିକକୁ ଛାଇ ଦେଇଥାଏ ସିଏ
ତାତିଠାରୁ ତପନର ।।
ଗୃହ ନିର୍ମାଣ ବା ଆସବାବ ପତ୍ର
କଞ୍ଚାମାଳ ଦିଏ ଯୋଗାଇ ,
ଜୀବଜନ୍ତୁଙ୍କୁ ସେ ଆଶ୍ରା ଦେଇଥାଏ
ଜନନୀ ପରିକା ହୋଇ ।।
ପରିବେଶ କରେ ସବୁଜ ସୁନ୍ଦର
ରକ୍ଷାକରି ସନ୍ତୁଳନ,
ଋତୁ ଅନୁଯାୟୀ ଧରାକୁ ସଜାଏ
ଋତୁ କରି ପରିବର୍ତ୍ତନ ।।
ଆସ ସର୍ବେ ଭାଇ ଭଉଣୀ ମିଶିକି
କରିବା ସଭିଏଁ ପଣ,
ବୃକ୍ଷକୁ ନିଜର ବନ୍ଧୁ ବୋଲି ଭାବି
କରିବା ନାହିଁ କର୍ତ୍ତନ ।।
*************************
ଜିତେନ୍ଦ୍ର ପାଣ୍ଡେ
ବାଗଉଡାର
ବେଲପଡା,ବଲାଙ୍ଗିର
ମୋ- ୬୩୭୦୯୭୯୬୪୧
No comments:
Post a Comment