::: ସମ୍ପର୍କ :::
ସମ୍ପର୍କ ,,,
ବୁଝିବାକୁ ବୋଧଗମ୍ୟ ନୁହେଁ
ପରିଭାଷା ସାଧାରଣ ନୁହେଁ
ତଥାପି ,
ଶବ୍ଦ ଠାରୁ ଭାବନାକୁ ବେଶୀ ଗୁରୁତ୍ୱ ଦେଇ
ବଞ୍ଚିବାକୁ ହୁଏ ସମ୍ପର୍କ ଭିତରେ ।
ଜନନୀ ଜଠରୁ ପ୍ରସବ ପରେ
ମାତା ପିତାଙ୍କ ସହ ଗଢିଉଠେ ସମ୍ପର୍କ
ଦୁଇ ଖିଅ ସେନେହର ଡୋରି ହାତରେ ବାନ୍ଧିଦେଲେ ଗଢିଉଠେ ଭାଇ ଭଉଣୀର ସମ୍ପର୍କ ।
ଆଉ ,,,,
ଟୋପାଏ ସିନ୍ଦୁର
ଦି ପଟ ଶଙ୍ଖାରେ
ପୁରୁଷ ନାରୀର ସମ୍ପର୍କର ସୁଅ
ସୁଦୃଢ ବନ୍ଧଟିଏ ହୋଇ ଗଢି ଉଠେ ।
ସବୁଠୁ ନିଆରା
ଶ୍ରୀକୃଷ୍ଣ ସୁଦାମା ସମ୍ପର୍କ
ମୋହ ମାୟା ଠାରୁ ବହୁ ଉର୍ଦ୍ଧ୍ବରେ ଏ ବନ୍ଧୁତା ।
ପୁଣି,,,
ଭକ୍ତ ଆଉ ଭଗବାନଙ୍କର ସମ୍ପର୍କ
ଦେଖ, ସେ ମୀରାବାଇକୁ
କିଛି ପ୍ରାପ୍ତି ଆଶାରେ ନୁହେଁ
ହେଲେ ବଞ୍ଚିଛି ସେ ତ୍ୟାଗ ଆଉ ମହନୀୟତାର ଜ୍ୱଳନ୍ତ ଉଦାହରଣ ସାଜି ।
ସମ୍ପର୍କ ,,,
ବେଳେବେଳେ ଭାବେ
ତୁମର ସଂଜ୍ଞା ଖୋଜିବାକୁ
ହେଲେ ଅଭିଧାନ ଖୋଜୁ ଖୋଜୁ
ଶବ୍ଦ ସବୁ କମ୍ ପଡ଼ିଯାଏ ।
ତଥାପି ମୁଁ ଏତିକି ବୁଝେ
ମାଟି,ପାଣି,ପବନ,ଆକାଶ,ଅଗ୍ନି ରୂପୀ
ପଞ୍ଚମହାଭୂତରେ ବିଲୀନ ହେବା ଯାଏଁ
ସବୁ ସମ୍ପର୍କକୁ ସଜାଡି ରଖିବି
ହଁ ହଁ ସଜାଡି ରଖିବି ।
ପ୍ରିୟଦର୍ଶନୀ ମହାପାତ୍ର
(ଶିକ୍ଷୟିତ୍ରୀ)
ଓଡ଼ଗାଁ , ନୟାଗଡ ।

No comments:
Post a Comment