ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସୁମନ୍ତ ବେହେରା , ଗଞ୍ଜାମ

* ବୃକ୍ଷ ମୋର ବନ୍ଧୁ *

ଆସ ଭାଇ, ବନ୍ଧୁ, ପ୍ରିୟ ପରିଜନ,
        ସାଙ୍ଗ ସାଥି ଗଣ ମୋର ।
ସ୍ୱହସ୍ତେ ଗୋଟିଏ ଚାରାକୁ ରୋପିଣ,
        ଯତ୍ନ ନେବା ଆମେ ତା'ର ।।
ଶିଶୁ ପରି ଯଦି ଯତ୍ନ ନେବା ତା'ର,
       ହୋଇବ ବଡ ସେ ଦିନେ ।
ମାନବ ଜାତିକୁ ସାହାଯ୍ୟ କରିବ,
     ରଖିଥାଅ ଏହା ମନେ ।।
ବୃକ୍ଷ ନାମେ ସେ ପରିଚିତ ହେବ,
     ବିଶାଳ ରୂପକୁ ନେଇ ।
ମାନବ ମାନଙ୍କ କ୍ଷୁଧା ନିବାରିବ,
     ତାହାରି ଫଳକୁ ଦେଇ ।।
ମାଟିକୁ ଜାବୁଡି ଧରି ତା'ର ଚେର,
     ରୋକିବ ମୃତ୍ତିକା କ୍ଷୟ ।
ଦୂର ବାଟୋଇକୁ ସାହାଯ୍ୟ କରିବ,
     ଅନ୍ତରଙ୍ଗ ବନ୍ଧୁ ପ୍ରାୟ ।।
ଅମ୍ଳଜାନ ବାଷ୍ପ ଯୋଗାଇବ ସେ,
     ଆମରି ପ୍ରଶ୍ୱାସ ପାଇଁ ।
ପରିବେଶେ ସନ୍ତୁଳନ ସେ ଆଣିବ,
      ଅଙ୍ଗାରକାମ୍ଳକୁ ନେଇ ।।
ବର୍ଷା ହେବା ପାଇଁ ସହାୟ ହୋଇବ,
     ଉତ୍ସ ସେ ଯୋଗାଇ ଦେଇ ।
ମାନବେ ଗୃହକୁ ନିର୍ମାଣ କରିବେ,
     ତା'ର ଶାଖା, କାଣ୍ଡ ପାଇ ।।
ଔଷଧ ପାଇଁଣ ତା'ର ଚେର, ମୂଳ,
     ଉତ୍ସର୍ଗି ଆମକୁ ଦେବ ।
ନିରୋଗ ସବଳ ସମାଜ ଗଠନେ,
    ବୃକ୍ଷ ହିଁ ସହାୟ ହେବ ।।
ପ୍ରତିଟି ମୁହୂର୍ତ୍ତେ ଜୀବନରେ ଆମ,
    ସାହାଯ୍ୟ କରିବ ସିଏ ।
ସଂସାରେ ଖୋଜିଲେ ପାଇବା ନାହିଁଟି,
     ବୃକ୍ଷ ପରି ବନ୍ଧୁଟିଏ। ।

ସୁମନ୍ତ ବେହେରା
ହତାପୁର,ଗଞ୍ଜାମ

No comments: