ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜପର୍ବ - ପ୍ରତାପ ଚନ୍ଦ୍ର ପ୍ରଧାନ , ପୁରୀ

  

                    
          ରଜପର୍ବ

_________________

ତାରିଖ:- ୧୪-୬-୨୦୨୦

ବରଷକେ ଥରେ ଆସେ ଏଇ ପର୍ବ,
ଆନନ୍ଦ ଉଲ୍ଲାସ ନେଇ ।
କେଉଁ ଖୁସିରେ ମୁଁ ପାଳିବି ପରବ,
କରୋନା ରହିଚି ଚାହିଁ ।।୦॥
ଗଲା ବର୍ଷୁ ଗଛ କଅଁଳିଛି ଟିକେ,
ଯାଇନାହିଁ ଫନି ଦୁଃଖ ।
ଏ ବର୍ଷ ଏମିତି ଦୁଃଖ ସମୟରେ,
ମାଡେ ନାହିଁ କାର ପାଖ ।।୧॥
କେଉଁଠୁ କିଣିବି ନୁଆ ଜାମା ଟିଏ,
ଅଳତା, କ୍ରିମ,ପଲିସି ।
ଡରଲାଗେ କାଳେ ମୋର ଇଛା ପାଇଁ,
କରୋନା ଆସିବ ପସି ।।୨॥
ଏଇ ରଜପର୍ବ କାହାପାଇଁ ଖୁସି,
କା ପାଇଁ ଯନ୍ତ୍ରଣା ଦିନ ।
କିଏ ଘରେ ବସି ପିଠାପଣା କରେ,
କାର କର୍ତବ୍ଯରେ ମନ ।।୩॥
ଦେବି ନାହିଁ କଷ୍ଟ ନିରୀହ ଗଛକୁ,
ଦୋଳି ବାନ୍ଧି ତାର ଦେହେ ।
ମୋ ପ୍ରତି ଏଡେ ତୁ ନିର୍ଦୟ ହୁଅନା,
ତାର ନୀରବତା କହେ ।।୪॥
ହସି ଉଠେ ଏଇ ସବୁଜ ଧରଣୀ,
ରଜ ହେଲେ ଆଗମନ ।
ବରଷା ଖରାର ଲୁଚକାଳି ଖେଳ,
ଆନମନା ହୁଏ ମନ ।।୫॥
ସଜ ହୋଇ ଯାଏ ଦେଖିବାକୁ ପ୍ରିୟା,
କେଉଁଠି ଦୋଳି ଖେଳୁଛି।
ଅଳତା ମେହେନ୍ଦି କଜଳ ଲଗାଇ,
ଭାରି ସୁନ୍ଦର ଦିଶୁଛି ।।୬॥
ତାକୁ ଦେଖି ଆଖି ଯାଏ ମୋର ଲାଖି,
ରଜ ତୁ ଆଉ ରହିଯା ।
ମୋ ପ୍ରିୟା ଲାଗୁଛି କଣ୍ଢେଇ ରାଣୀଟେ,
ମୁଁ ତାର କଣ୍ଢେଇ ରଜା ।।୭॥
ସବୁଜ ବନରେ ରଜଦୋଳିରେ ସେ,
ଦିଶୁଥାଏ ଚାନ୍ଦ ପରି ।
ମନ ହୁଏ ତାର ସାଥେ ଖେଳନ୍ତି ମୁଁ,
ରାଧା ସାଥେ କୃଷ୍ଣ ପରି ।।୮॥
ସମୟ ସାଥିରେ ବଦଳି ଯାଉଛି,
ପର୍ବ ପରମ୍ପରା ଏଠି ।
ବିଧି ଅନୁସାରେ ପାଳିବା ପରବ,
ରହିବା ଯେବେ ଯେଉଁଠି ।।୯॥
ରଜପର୍ବ ଏଠି ପାଳନ କରିବା,
ନିଜକୁ ସୁରକ୍ଷା ଦେଇ ।
ଆମ ଖୁସି ପାଇଁ ହେ କଳାଠାକୁର,
ଦୁଃଖ ନ ପାଆନ୍ତୁ କେହି ।।୧୦॥
   

                ***

ପ୍ରତାପ ଚନ୍ଦ୍ର ପ୍ରଧାନ 

କଣାସ, ପୁରୀ ୭୫୨୦୧୯
         
                          

No comments: