ମାତୃଶକ୍ତି
ତା'ର ଶକତିର ନାହିଁ ତ କଳନା,
ରଖେ ପୁଣି ମାରେ ସିଏ ।
ଜନମ ଦିଏ ସେ କେତେ କଷ୍ଟ ସହି,
ଶେଷେ ଜରାଶ୍ରମ ଯାଏ ।।୧।।
ପାଳେ ସନ୍ତାନକୁ କେତେ କଷ୍ଟ ସହି,
କେତେ ଯେ ତାହାର ଶକ୍ତି ।
ଯେତେ ପୁଣ୍ୟ କଲେ ତା ଅଭିଶାପରୁ,
ପାଇବାନି କେବେ ମୁକ୍ତି ।।୨।।
ଆଖିର ଲୁହକୁ ଓଠ ପିଏ ତା'ର,
ତଥାପି ନିରବ ରହେ ।
କାହା ଖୁସି ପାଇଁ ସବୁ ମାଡଗାଳି,
ହସି ହସି ସହିଯାଏ ।।୩।।
ଯେତେବେଳେ ସିଏ ହୋଇଯାଏ ପରା,
କା ପାଇଁ ଅଦରକାରୀ ।
ଥକି ନ ପଡି ସେ ଚାଲେ ଏକା ଏକା,
ନିଜର ଭାଗ୍ୟକୁ ଧରି ।।୪।।
କାହା ପାଇଁ ନିଏ ଦୁର୍ଗା ଅବତାର,
ଦୁଷ୍ଟ ନିବାରଣ ପାଇଁ ।
କାହା ପାଇଁ ସହେ ସବୁ ନିର୍ଯାତନା,
ସବୁ ଦୁଃଖକୁ ଲୁଚେଇ ।।୫।।
ନିଜେ ପାଣି ପିଇ ଜୀବନ ବଞ୍ଚାଏ,
ତା ପିଲାଙ୍କୁ ଦେଇ ଅନ୍ନ ।
ସଭିଙ୍କୁ ପାଳଇ ମାଆ ଟିଏ ପରି,
ହେଉ ଅବା ବଡ ସାନ ।।୬।।
ଆସିଲେ ବିପଦ ତାର କୋଳେ ଥିଲେ ,
ଲାଗେ ନାହିଁ ଜମା ଡର ।
ସବୁବେଳେ ଥାଏ ତାହାର ଆଶିଷ,
ରହିଲେବି ତାଠୁ ଦୁର ।।୭।।
କି ବର୍ଣ୍ଣିବି ଏଠି ଶକତି ମାଆର,
ଶକ୍ତି କେ କହିବ ତାର ।
ତା'ର ଶକ୍ତି ପରା ଏମିତିକା ଶକ୍ତି,
ବିକଳ୍ପ ନାହିଁ ଯାହାର ।।୮।।
ବସୁଧା ପରିକା ସହିବା ଶକତି,
ଯଶୋଦା ପରିକା ପାଳେ ।
ମିଳେ କେତେ ଶାନ୍ତି ଯେବେ ଶୋଇଯାଏ,
ମୁଣ୍ଡ ରଖି ତା'ର କୋଳେ ।।୯।।
ଆକାଶ ପରି କା ଘୋଳେଇ ରଖେ ସେ,
ତାର ପଣତ କାନିରେ ।
ତାର ହାତରନ୍ଧା ସତେ କି ଅମୃତ,
ମିଳେ ନାହିଁ କେଉଁଠାରେ ।।୧୦।।
***
ପ୍ରତାପ ଚନ୍ଦ୍ର ପ୍ରଧାନ
ପୁରୀ ୭୫୨୦୧୯
No comments:
Post a Comment