*" କୃଷକ "*
ମାଟିରେ ମାଟିରେ ସାରେ ତା ଜୀବନ
ମାଟି ପାଇଁ ସିଏ ଧନ୍ୟ
କେତେ ଖରା ବର୍ଷା ସହି ସେ ଆମକୁ
ଦେଇଥାଏ ପୁଣି ଅନ୍ନ ।
ନିଜ ପାଇଁ ରଖେ ଖୁଦ ଅଗାଡ଼ିକୁ
ଦୁନିଆକୁ ଦେଇ ଶସ୍ୟ
ମନ ତା'ର ମାରି ରୁହେ ବରଷକ
ନ ଥାଏ ବା ଅବଶୋଷ !
ବାର ମାସେ ତେର ପରବ ପାଳଇ
ଥାଇ ମାଟି ମାଆ କୋଳେ
ନିଗାଡି ରକତ ପରିଶ୍ରମ କରେ
ମୁଣ୍ଡକୁ ନୁଆଁଇ ତଳେ ।
ନୂଆ ପିନ୍ଧିବା ତା ଭାଗ୍ୟରେ ନଥାଏ
କରମ ଆଦରି ରୁହେ
ସବୁଠାରୁ ଖୁସି ଜୀବନରେ ସିଏ
ପଚାରିଲେ ତାକୁ କୁହେ ।
କେହି ନୁହେଁ ସେହି ମହାନ ପୁରୁଷ
ସେ ଆମ କୃଷକ ଭାଈ
ହାଡ଼ ଭଙ୍ଗା ଶୀତ କାକରକୁ ସହି
କ୍ଷେତକୁ ରହେ ଅନାଇ ।
ପ୍ରକୃତ ମାନବ ଥାଏ ଯଦି କେହି
ମାଟିର ମଣିଷ ହୋଇ
ସେ ଆମ କୃଷକ ବସୁଧା ମାତାର
ଯୋଗ୍ୟ ସନ୍ତାନଟି ସେହି ।
ତା ପାଇଁ ବଞ୍ଚିଛି ଏହି ଦୁନିଆଟା
ଯୋଗାଏ ବୋଲି ଆହାର
ସର୍ବ ଶ୍ରେଷ୍ଠ କର୍ମ ଏହି ଧରାଧାମେ
କୃଷି କାର୍ଯ୍ୟଟି ଯାହାର ।
ଲହୁ ଲୁହ ତା'ର ନିଗାଡ଼ି ଖୁଆଏ
ହସି ଉଠେ ସେହି କ୍ଷେତ
ରବି ଫସଲ କୁ ବଢ଼ାଏ ଦେଇଣ
ସବୁଜ ଜୈବିକ ଖତ ।
ସକାଳୁ ସକାଳୁ ଉଠି ବିଛଣାରୁ
ହଳ ଲଙ୍ଗଳଟି ଧରେ
ବଳଦ ଯୋଡ଼ିକୁ ଯୁଆଳି ସାଥିରେ
ଗୋଡ଼ାଇ ସେ ହଳ କରେ ।
ଦେହ ଜଡ଼ ସଡ଼ କାଦୁଅରେ କରି
ଫଳାଏ ସୁସ୍ଵାଦୁ ଫଳ
ଗାଉଥାଏ ଗୀତ ଭାରତ ମାତାର
ବୁଲାଇ ଲଙ୍ଗଳ ହଳ ।
ପିନ୍ଧାଉଛି ସିଏ ଧରଣୀ ମାତାକୁ
ସବୁଜ ରଙ୍ଗର ଶାଢୀ
ବାଆ ବତାସରେ ଥାଏ କର୍ମଭରେ
ଆସିଲେ ବି ନଈ ବଡି ।
କୃଷକ ନଥିଲେ ଦୁନିଆ ନଥାନ୍ତା
ଉପବାସେ ଥାନ୍ତେ ମରି
ଦେଖାନ୍ତି ଯେତେକ ଅଫିସର ଗିରି
ନା ଥାଆନ୍ତା ତାଙ୍କ ଚାକିରୀ ।
()()()()()()()()()()()()()()()()()()()()()
*ତାମର ଦିନବନ୍ଧୁ*
*ଗଂଜାମ / ଓଡିଶା*
No comments:
Post a Comment