କୃଷକ
***********
ହଳ କାନ୍ଧେ ବାନ୍ଧି
ପଲପ ଜୁହାଳି
ତା ସଙ୍ଗେ ଲଙ୍ଗଳ ଅଛି ମୁଁ ଯୋଚି ,
ସଅଳ ଜମିକୁ
ଯାଉଛି ବାହାରି
ଖାଣ୍ଟି ଚଷା ମୁଁହି ନୁହଁଇ ମୋଚି ।
ଫଳେଇବି କ୍ଷେତେ
ସୁନାର ଫସଲ
ସାରସ୍ୱତ କରି କରିଣ ଚାଷ ,
ସବୁରୀ ପେଟକୁ
ଆହାର ମୁଁ ଦେବି
ଫୁଟିବ ସଭିଙ୍କ ମୁଁହରେ ହସ ।
ବେଳ ଥାଉ ଚାଷ
ସାରିବି ସଅଳ
ଡେରି ହେଲେ ମୁଣ୍ଡେ ପଶିବ ଖରା ,
ଶିଘ୍ର ତୁ ଖାଇବା
ଘେନିଯିବୁ ସହୀ
ଓଳିଏ ନୋହୁଣୁ ଜମିକୁ ପରା ।
ବେଳ ହେଲେ ଡେରି
ମନ ହେବ ଝୁରି
ପେଟରେ ବୁଲିବ ବିରୁଡି ବସା ,
ଚାଷ କାମେ ସହୀ
ଭୋଖେ ନୁହେଁ ରହି
ମନ ଝୁରୁଥିବ ପଖାଳ କଂସା ।
ହୁଡା ପରେ ରହି
ଡାକି ଦେବ ସହୀ
କରୁଥିବି ମୁଁ ହଳ ଲଙ୍ଗଳ ,
ଶ୍ରମ ଲାଗି ମୁଁହି
ଥକି ପଡିଥିବି
ପଣତ କାନୀରେ ପୋଛିବ ଝାଳ ।
ତୋର ହାତେ ରନ୍ଧା
ମୋ ପାଇଁକି ବନ୍ଧା
ବଡି ପଖାଳକୁ ଚୋପି ଆମ୍ବୁଲ ,
ପାଖେ ବସି ମୋର
ମୋତେ ଖୋଉଥିଲେ
ତାଠାରୁକି ଆଉ ଲାଗିବ ଭଲ ।
ପଖାଳ ଖାଇଣ
ହୁଡାପରେ ଟିକେ
ଭାଙ୍ଗିଥିବି ଯେବେ ମୁଁହି ଅଳସ ,
କହିବୁ ସଅଳ
ଫେରିବ ଘରକୁ
ସାରି ଦେଇ ସବୁ ବାକିର ଚାଷ ।
ଗୋପୀନାଥ ପରିଡା
ଗ୍ରାମ-ଭୂତଡିହି
ପୋ-ଲାଠିପଡା
ଜିଲ୍ଲା-ନୟାଗଡ
ଶୂନ୍ୟଭାଷ -9937715765
No comments:
Post a Comment