●● ବୃକ୍ଷ ମୋର ବନ୍ଧୁ ●●
ତା' ପାଇଁ ବରଷା ତା ଲାଗି ସରସା
ତା ପାଇଁ ବଞ୍ଚେ ଜୀବନ
ଜୀବ ଥିବା ଯାଏଁ ସେବା ଅବିରତ
ମୋହିଥାଏ ଜନମନ ।।
ମାଆ ପରି ସଦା ସେନେହ ମମତା
କୋଟି ପ୍ରାଣେ ଦିଏ ଭରି
ଫୁଲ ଫଳ ପତ୍ର କାଠ ନାନା ଦ୍ରବ୍ୟ
ଦେଇଥାଏ ପିତା ପରି ।।
ମରୁତ ବହଇ ତାହାରି ଦୟାରୁ
ନିଶ୍ୱାସ ପ୍ରଶ୍ୱାସ ଦେଇ
କେତେ ପଶୁପକ୍ଷୀ ନୀଡ଼କୁ ସାହାରା
କୁଣ୍ଠାବୋଧ ନ' କରଇ ।।
ଖାଦ୍ୟ ବାସ ବସ୍ତ୍ର ସଭିଙ୍କୁ ସର୍ବଦା
ଆଜୀବନ ପ୍ରଦାନରେ
ସର୍ବସ୍ୱ ଦେଉଛି ଦେଉଥିବ ଖୁସି
ନିଜେ ରହିଛିି ଦୁଃଖରେ ।।
ଖରା ବର୍ଷା ଶୀତ ଛ' ଋତୁ ସୌନ୍ଦର୍ଯ୍ୟ
ପ୍ରକୃତି ଶୋଭା ବଢ଼ଇ
ଉତ୍ତାପ କାକର ଝଡ଼ ଝଞ୍ଜା ସହେ
ପ୍ରାଣୀ ଜଗତର ପାଇଁ ।।
ଆଜିର ମନୁଷ୍ୟ ଶତ୍ରୁ ସାଜିଅଛି
ଅନ୍ଧକାର ଅଭିମୁଖେ
ଜଙ୍ଗଲ ଧ୍ଵଂସରେ ସମୟ ଦେଉଛି
ବିଜ୍ଞାନ ପଥରେ ସୁଖେ ।।
ବୃକ୍ଷ ଅଟେ ମିତ୍ର ବୃକ୍ଷ ପୁଣି ବନ୍ଧୁ
ଅଟଇ ଆମ ଜୀବନ
ତାହାରି ସେବାରେ ଜଳାଞ୍ଜଳି ଦେଲେ
ରକ୍ଷା ଦେବେ ଭଗବାନ ।।
ତପନ କୁମାର ଦାଶ୍
ଶିକ୍ଷକ, କଳାହାଣ୍ଡି
୯୪୩୮୪୧୫୯୫୫
No comments:
Post a Comment