::ସମ୍ପର୍କ :::
ସମ୍ପର୍କ
ପରସ୍ପରକୁ ସ୍ନେହ ବନ୍ଧନରେ
ବାନ୍ଧିବାର ଇଏ ଥିଲା
ଏକ ସୁନ୍ଦର ଓ ମଜବୁତ୍ ଶବ୍ଦ,
ଏକ ସୁନ୍ଦର ରେଶମୀ ଡୋରୀ
ଯେଉଁ ଡୋରୀ କେବେକାଳେ
ଛିଣ୍ଡିବାର ନାହିଁ ।
ପିତାମାତା ସହିତ ପୁତ୍ରର,
ସ୍ୱାମୀ ସହିତ ସ୍ତ୍ରୀ ର,
ଭାଇ ସହିତ ଭାଇ ଓ ଭଉଣୀ ର,
ଗୁରୁ ସହିତ ଶିଷ୍ୟର,
ବନ୍ଧୁ ସହିତ ବନ୍ଧୁର,
ପଡ଼ୋଶୀ ସହିତ ପଡ଼ୋଶୀର
ଥିଲା ଏକ ପବିତ୍ର ଓ ନିଆରା ସମ୍ପର୍କ।
ପରସ୍ପର ମଧ୍ୟରେ ଥିଲା
ଭରପୁର ସ୍ନେହ, ପ୍ରେମ,
ଭଲ ପାଇବା ଓ ଦୃଢ଼ ବିଶ୍ୱାସ।
କିନ୍ତୁ ଆଜି ?
ସେ ସବୁ ସ୍ୱପ୍ନ।
ସମ୍ପର୍କ ବିକଳାଙ୍ଗ ହୋଇଯାଇଛି।
ଜନ୍ମକର୍ତ୍ତା ପିତାମାତା ଙ୍କୁ ପୁତ୍ର
ବିବାହ ବନ୍ଧନ ପରେ
ସ୍ତ୍ରୀ ପ୍ରରୋଚନାରେ ପଡ଼ି
ଜରାଶ୍ରମରେ ଛାଡ଼ିବାକୁ
କୁଣ୍ଠାବୋଧ କରେନାହିଁ।
ମାତୃ ତୁଲ୍ୟ ଶାଶୁକୁ ଆଜି ବୋହୂ
ହେୟ ମନେକରି ଅତ୍ୟାଚାର କରେ।
ସ୍ୱାମୀ ପ୍ରତି ସ୍ତ୍ରୀ ର ଆଉ ପତିଭକ୍ତି ନାହିଁ।
କଥାକଥାକେ ଦୁହିଁଙ୍କ ମଧ୍ୟେ ଟଣାଓଟରା।
ଭାଇ ସହିତ ଭଉଣୀର ଅନାବିଳ ପ୍ରେମ
ପ୍ରହସନରେ
ପରିଣତ ହୋଇଯାଇଛି।
ସ୍ୱାର୍ଥ ପାଇଁ ଭଉଣୀର
ଘର ଉଜାଡ଼ିବାକୁ
ଭାଇ କୁଣ୍ଠାବୋଧ କରେ ନାହିଁ।
ଭାଇ ସାଜିଛି ଆଜି ଭାଇର ଭଗାରୀ,
ଚିର ଶତ୍ରୁ।
ନାହିଁ ସେ ଗୁରୁ ଶିଷ୍ୟ ପରମ୍ପରା।
ପଢ଼ା ସାରିଲା ପରେ
ଗୁରୁଙ୍କୁ ଶିଷ୍ୟ ଚିହ୍ନି ପାରେନା।
ସମ୍ମାନ ଦେବା ଦୂରେ ଥାଉ
ଅପମାନିତ କରିବାକୁ ମଧ୍ୟ
ପଶ୍ଚାତପଦ ହୁଏନା।
ବନ୍ଧୁ ସାଜିଛି ଆଜି ବନ୍ଧୁର ଶତ୍ରୁ,
କେବଳ ସ୍ୱାର୍ଥ ସିଦ୍ଧି ପାଇଁ
ଚାଲିଛି ବନ୍ଧୁତା,
ସ୍ୱାର୍ଥ ହାସଲ୍ ପରେ କିଏ କାହାର ?
ବିପଦରେ ତ ଦେଖା ମିଳେନା।
ଆପଣାର ପଡ଼ୋଶୀକୁ
ଚିହ୍ନିବାକୁ ମଧ୍ୟ କେହି ଚାହେଁନା,
ସାହାଯ୍ୟ, ସହଯୋଗ ତ ଦୂରର କଥା।
ଯାହା ସବୁ ଚାଲିଛି ଆଜି
କେବଳ ପ୍ରହସନ ମାତ୍ର।
ସମ୍ପର୍କ ର ପରିଭାଷା
ଆଜି ବଦଳି ଯାଇଛି।
ବଳ, ବୟସ, ଐଶ୍ଵର୍ଯ୍ୟ ଥିଲା ପର୍ଯ୍ୟନ୍ତ
ତୁମ ସହିତ ଅନେକଙ୍କ ସମ୍ପର୍କ
ଯୋଡ଼ି ହୋଇଥିବ।
ଏ ସବୁ ଚାଲିଗଲା ପରେ
ତୁମେ ଜଣେ ନିଃସ୍ୱ, ଅସହାୟ,
ଅକର୍ମଣ୍ୟ ପ୍ରାଣୀ,
ଯିଏ ମୃତ୍ୟୁ ଅପେକ୍ଷାରେ
ବଞ୍ଚିରହିବା ଛଡ଼ା ଅନ୍ୟ ଉପାୟ ନାହିଁ।
ଏହାହିଁ ତ ଆଜିର ସମ୍ପର୍କ।
********ନରୋତ୍ତମ ପାତ୍ର ***
ନାସିଗାଁ, କଳାହାଣ୍ଡି।
ସମ୍ପର୍କ - ନରୋତ୍ତମ ପାତ୍ର , କଳାହାଣ୍ଡି

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment