:: ବୃକ୍ଷ ମୋର ବନ୍ଧୁ ::
କହ କହ ମହୀରୁହ ପୃଥିବୀ କୁ ଦୁର୍ବିସହ
ବିପର୍ଯ୍ୟୟ ମାଡ଼ି ଆସେ ଘନକୁ ଘନ
ଉତ୍ତପ୍ତ ତା କଳେବର ଶୁଖିଛି ନଦୀ ସାଗର
ପ୍ରଚଣ୍ଡ ଜ୍ୱାଳ କିରଣ ଦିଏ ତପନ
କହିଦେ ତୋହର ବଚନ
ଠିକଣା ସମୟେ କାହିଁ ବର୍ଷେନି ଘନ।୧।
ତା ଶୁଣି କହେ ପାଦପ ଅଚିରେ କରୁଛ ପାପ
ବଣ କାଟି ସବୁ କରିଦେଲଣି ପଦା
ଚାରି ଆଡେ଼ ଖାଲି ଘର ନାହିଁ ବିଲ କି ପ୍ରାନ୍ତର
କଳକାରଖାନା କରିଅଛ ଗଦା କୁ ଗଦା
ଭାବିନାହଁ ଆଗକୁ କେବେ
ଲେଡି ଗୁଡ଼ କହୁଣୀକୁ ବୋହି ବ ଯେବେ।୨।
ଧରୁଅଛ ବେଶୀ ଗାଡ଼ି ରାସ୍ତା ରେ ଯାଉଛି ଗଡ଼ି
ଛାଡୁଅଛି ବିଷାକ୍ତ ଧୁଆଁ ର କୁଣ୍ଡଳୀ
କାରଖାନା ଆବର୍ଜନା କରୁଛ ତୁମେ ସର୍ଜନା
ଯାହା ମିଶି ଜଳ ଉତ୍ସ ହୁଅଇ ଗୋଳି
ପାନୀୟ ଜଳର ଅଭାବ
ଦେଖା ଦେବ ଆଗକୁ ହେ ମୂଢ ମାନବ।୩।
ଜମିରେ ମାରୁଛ ସାର ରସାୟନ ଉପଚାର
ଅଧିକ ଅମଳ ହେବ କରି ବିଚାର
ସେ ସାର ପ୍ରୟୋଗେ ପରା ନାରଖାର ହୁଏ ଧରା
ଉପକାରୀ କୀଟ ଙ୍କ ର ହୁଏ କବର
ହେବନାହିଁ କେବେ ଉର୍ବର
ସେହି ଶସ୍ୟ ଭକ୍ଷଣେ ରୋଗିଣା ଶରୀର।୪।
ପ୍ରଚଣ୍ଡ ନିଦାଘ କାଳେ ରହୁ ଅଛ ଏସି ତଳେ
କରିଅଛ ବ୍ୟବହାର ରେଫ୍ରିଯେଟର
ତହିଁ ବାହାରି ପବନ କ୍ଲୋରୋଫ୍ଲୋରୋକାର ବନ
ଛିଦ୍ର କରୁ ଅଛି ପରା ଆମ ଓଜୋନ
ବାଇଗଣୀ ରଶ୍ମୀ ରେ ପରା
ଚର୍ମ କର୍କଟ ରୋଗ ଟି ଦିଅଇ ଧରା।୫।
ତେଣୁ ହେ ଶ୍ରେଷ୍ଠ ମାନବ ଥରୁଟେ ମନରେ ଭାବ
କିପରି ତୁମର ରକ୍ଷା ହେବ ଜୀବନ
ଏବେଠୁ ହେଲେ ସଜାଗ ରହିବ ତୁମେ ନିରୋଗ
ଏକଥା କୁ ବାରମ୍ବାର ମନରେ ଘେନ
କରୁଛି ଏତିକି ବିନତି
ମୋ କଥା କୁ ମନେ ରଖି ଚଳ ହେ ନିତି।୬।
ବୈଷ୍ଣବ ଚରଣ ଦାଶ
ବୀର ଧନଞ୍ଜୟ ପୁର ଶାସନ
ବୁଗୁଡ଼ା ଗଞ୍ଜାମ
No comments:
Post a Comment