:: ବୃକ୍ଷ ମୋର ବନ୍ଧୁ ::
ଟାଙ୍ଗିଆ ନେଇ ଗଲି ମୁଁ ଦିନେ
ଗଛ କାଟିବା ପାଇଁ,
ବାଟ ଓଗାଳି କହୁଛି ବୋଉ
ନାଇଁ ରେ ଧନ ନାଇଁ l
ଛାଡ଼ିଦେ ବାଟ କାଟିବି ଗଛ
କାହିଁକି ଦେଉ ବାଧା,
ହଟି ଯା' ମୋର ଆଗରୁ ଆଜି
କହିଦେଲି ମୁଁ ସିଧା l
ମୁହଁ ଅନ୍ଧାରୁ ନିଈତି ଆସି
ଖରକୁ ଏଡ଼େ ବାରି !
ନିଷ୍ଠୁର ସେହି ନିଶ୍ଚଳ ବୃକ୍ଷ
ଦେବାରୁ ପତ୍ର ଝାଡ଼ି l
ତାହାରି ଯୋଗୁଁ ଏତେ ଅସନା
ହୁଏ ଆମରି ବାରି,
ମୂଳୁ ମାଇଲେ ସରିବ କଥା
ଝାମେଲା ଯିବ ସରି l
ମୋ କାନ ଧରି କହିଲା ବୋଉ
ହେଲୁଣି ତୁହି ନଷ୍ଟ,
ତୋ ଜାମା ସବୁ ଧୋଇଲା ବେଳେ
ଦିଶେନା ମୋର କଷ୍ଟ !?
କହୁଛୁ ତୁହି କାଟିବୁ ତାକୁ
ଯିଏ ଆମରି ବନ୍ଧୁ,
ଦାନରେ ଯିଏ ବଳିଠୁ ଶ୍ରେଷ୍ଠ
ମନରେ ସାତସିନ୍ଧୁ !
ଯୋଗାଇ ଦିଏ ଅମଳଜାନ
ରହିବା ପାଇଁ ଘର,
ଖାଇବା ପାଇଁ ଦିଅଇ ଫଳ
ନଭାବି ନିଜ, ପର l
ତାହାରି ଡାଳ, ମୂଳ,ପତର
ବଜାରେ ବିକ୍ରି କରି,
ଗରିବ ଘରେ ଜଳଇ ଚୁଲି
ଅଭାବ ଯାଏ ମରି l
ସେ ଅଛି ବୋଲି ଧରଣୀ ଆମ
ଫୁଲରେ ବାନ୍ଧେ ବେଣୀ,
ତାହାରି ହେତୁ ନୀଳ ଗଗନୁ
ଝରେ ବରଷା ରାଣୀ l
ଶିଳ୍ପାନୁଷ୍ଠାନ ଛାଡଈ ଯେଉଁ
ଅଙ୍ଗାରକାମ୍ଳ ବାୟୁ,
ମରଣ ବୃକ୍ଷ ବରଣ କରି
ବଢ଼ାଏ ଆମ ଆୟୁ l
ଦିନକ କଥା କହୁଛି ଧନ
ମନ ଦେଇକି ଶୁଣ,
ଶୁଣିଲେ ସିନା ଜାଣିବୁ ତୁହି
କେତେ ମହାନ ତୃଣ !
ନଅମାସେ ମୋ ଗରଭେ ଥିଲୁ
ଉଠିଲା କେଉଁ ବାତ ?
ତା' ଫଳ ବିକି ବଇଦ ପାଶେ
ନେଇଥିଲେ ତୋ ତାତ !
ଅଥାର ନିଆଁ ଜଳିବା ପାଇଁ
ଘରେ ନଥିଲା କାଠ,
ସେ ଗଛ ଶାଖା ଜଳୁଥିଲାରେ
ତୋ ଷଠୀଘରେ ଦୁଷ୍ଟ !
ମୋ ଠାରୁ କେତେ ମହାନ କାମ
କରିଛି ସେହି ତୃଣ,
ମୋ କଥା ମାନ ଲଗାଅ ଗଛ
ଶୁଝିବା ପାଇଁ ଋଣ l
ତୋ ଚାରିପାଖେ ଦେଖୁଛୁ ଯାହା
ସବୁ ବୃକ୍ଷର ଦାନ,
ଖଟିଆ ଠାରୁ ଆଲଣା ଯାଏଁ
ଯେତେ ଦରବ ମାନ l
ବୃକ୍ଷ ହିଁ ମୋର ଅସଲ ବନ୍ଧୁ
ଏ କଥା ରଖ ମନେ,
ବ୍ରହ୍ମ ସ୍ୱରୂପ ଶ୍ରୀଜଗନ୍ନାଥ
ଗଢ଼ା ତା' ଅବଦାନେ l
ଉମାକାନ୍ତ ଦଳାଇ
ଭୂଷଣ୍ଡପୁର, ଖୋର୍ଦ୍ଧା
7735068090






No comments:
Post a Comment