ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ଡ. ପଦ୍ମଲୋଚନ ରାଉତ , ମାଲକାନଗିରି

:: ବୃକ୍ଷ  ମୋର ବନ୍ଧୁ ::
------------------------
ପ୍ରକୃତିର ଦାନ ଆମ ପରିବେଶ
     ପଶୁ ପକ୍ଷୀ ବୃକ୍ଷ ଲତା
ଆଲୋକ ଢାଳନ୍ତି ଗଗନେ ଭାସ୍କର
      ମେଘ ଆଣେ ଶୀତଳତା    l 1
ପୃଥିବୀ ଆମର ଦିଶଇ ସୁନ୍ଦର
     ଭରା ଥିଲେ ସବୁଜିମା
ଏ କଥା ନ ବୁଝି ନିଜ ସ୍ୱାର୍ଥ ଲାଗି
     ମଣିଷ ହେଉଛି ବଣା   l 2
ବୃକ୍ଷ ଲତା ଠାରୁ ପରମ ବାନ୍ଧବ
   ଜଗତରେ କିଏ ଅଛି
ଖାଦ୍ୟ ବସ୍ତ୍ର ବାସଗୃହ ଅମ୍ଳଜାନ
     ବୃକ୍ଷ ଲତା ଯୋଗାଉଛି l 3
ବଡ଼ ଉପକାରୀ ବନ୍ଧୁ ଆମ ବୃକ୍ଷ
     ତାର ପାଶେ ଚିର ଋଣୀ
ନା ନା ଜାତି ଫୁଲ ସୁମଧୁର ଫଳ
    ତା ପାଇଁ ମିଳୁଛି ପାଣି    l 4
ତା ଛାଇରେ ମୁହିଁ ଶୋଇଛି ହରଷେ
      ବୈଶାଖର ଖରା ବେଳେ
ତା ଛାଇରେଖେଳ କେତେମୁଁ ଖେଳିଛି
       ବାଲ୍ୟ କାଳେ ସାଙ୍ଗ ମେଳେ l5
ଗଛଲତା ଡାଳେ ବିହଙ୍ଗମ ଖେଳେ
   ଶୁଣି ତା ମଧୁର ଗୀତ
ଫୁଟିଥିଲେ ଫୁଲ ହସିଉଠେ ଧରା
      ବୃକ୍ଷ ମୋ ପରମ ମିତ  l 6
ସାକ୍ଷୀ ଅଛି ଆମ ଦେଶେ ଇତିହାସ
   ବୃକ୍ଷ ଲତା ତଳେ ବସି
ବକୁଳ କୁଞ୍ଜରେ ବନ ବିଦ୍ୟାଳୟ
   ଗଢିଲେ ପଞ୍ଚ ମହର୍ଷି l 7
କେତେ ମୁନି ଋଷି ବ୍ୟାସ ପରାଶର
   ବଶିଷ୍ଠl ଦି ଗୁରୁ କୁଳ
ଆଶ୍ରମ ତୋଳିଲେ ଘନ ଅରଣ୍ୟରେ
     ଖାଇ ବନ ଫଳ ମୂଳ   l 8
ପାଣ୍ଡବେ ଲୁଚିଲେ ବଣ ଜଙ୍ଗଲରେ
     ଅଜ୍ଞାତ ବାସ ବେଳେ
ପ୍ରଭୁ ରଘୁପତି ଚଉଦ ବରଷ
   ଭ୍ରମି ବନ ବାସ କାଳେ  l 9
ବୃକ୍ଷ ଲତା ଥିଲେ ଆମ ଚାରି ପଟେ
     ନାହିଁ ବିପର୍ଯୟ ଭୟ
ଝଡ଼ ବତାସ ବାତ୍ୟା ଅବା ବଢ଼ି
    ନିଶ୍ଚୟ  ଜାଣଟି ଥୟ  l 10
ପୃଥିବୀ ଚଦର ଓଜୋନ ସ୍ତର
   ପତଳା ହେଉଛି ଜାଣ
କାର୍ବନ ଗ୍ୟାସ ଉତ୍କଟ ହେଲାଣି
     ହ୍ରାସ ପାଏ ଅମ୍ଳଜାନ  l 11
ଋତୁ ଚକ୍ର ଏଠି ବଦଳି ଗଲାଣି
     ମାଡି ଆସିଲାଣି ଖରା
ବିଶ୍ୱ ତାପମାତ୍ରା ବଢେ ଦିନୁ ଦିନୁ  
   ଗ୍ଲୋବାଲ ୱାରମିଙ୍ଗ ଧରା   l 12
କଳ କାରଖାନା ସହରୀ କରଣେ
    ବଢେ ବାୟୁ ପ୍ରଦୂଷଣ
ନିଜ ସ୍ୱାର୍ଥ ଲାଗି କାଟି ବୃକ୍ଷ ଲତା
    ବିପର୍ଯୟ ଡାକି ଆଣ   l   13
ମୃତିକା ଅମର ଅମୂଲ୍ୟ ସମ୍ପଦ
    କ୍ଷୟ ହୁଏ ଦିନୁ ଦିନ
ବୃକ୍ଷ ଲଗାଇଲେ ଆମ ଚାରି ପାଖେ
   ହେବ ତାର ସଂରକ୍ଷଣ   l 14
ଜଙ୍ଗଲ ବିନାଶେ କେତେ ଜୀବଜନ୍ତୁ
   ହୋଇ ଯାଉଛନ୍ତି ଲୋପ
ତଥାପି ମଣିଷ ଜଙ୍ଗଲ କାଟୁଛି
    ବୁଝୁନି ପ୍ରକୃତି କୋପ    l  15
ହେ ବିଶ୍ୱ ବାସୀ କରୁଅଛି ବାରେ
      ହାତ ଯୋଡି ନିବେଦନ
"ବୃକ୍ଷ ଲଗାଅ"   " ବୃକ୍ଷ ବଞ୍ଚାଅ "
        ବୃକ୍ଷ ହିଁ ଆମ ଜୀବନ  l  16
ମା ମାଟି ଛୁଇଁ କରୁଛି ଶପଥ
   ଗଛ ଲଗାଇବି ମୁହିଁ
ନିସ୍ୱାର୍ଥପର ବନ୍ଧୁ  ବୃକ୍ଷ ମୋର
   ଏ କଥା ଭୁଲିବି ନାହିଁ  l    17
       
          
ଡ. ପଦ୍ମଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
ଗୋପବନ୍ଧୁ ଡିଗ୍ରୀ କଲେଜ
କାଲିମେଳା, ମାଲକାନଗିରି l
        

No comments: