:: ବୃକ୍ଷ ମୋର ବନ୍ଧୁ ::
***************
ଯୁଗ ଯୁଗ ପୂର୍ବ ଇତିହାସ କହେ
ଆଦିମ ମାନବ କଥା,
ଖାଦ୍ୟ,ବସ୍ତ୍ର ପାଇଁ ତୃଷାର୍ତ୍ତ ମନରେ
ବୁଲୁଥିଲେ ନେଇ ବ୍ୟଥା।।
ବୃକ୍ଷ ଫଳ ଖାଇ ଯାଯାବର ହୋଇ
ସ୍ଥାନେ ସ୍ଥାନେ ତୃପ୍ତ ହେଲେ,
ଶରୀରକୁ ଢାଙ୍କି ଗଛର ବକ୍କଳେ
ସୁରକ୍ଷା ସେ ପାଉଥିଲେ ।।
ବୃକ୍ଷରୁ ପତିତ ବୀଜ ଅଙ୍କୁରିତ
ଦେଖି ଦିନେ ହେଲେ କାବା
ସେହି ବୀଜ ଦିନେ ମହାଦ୍ରୁମ ହେଲା
ପ୍ରକୃତିକୁ ଦେଲା ଶୋଭା ।।
ସେହିଦିନ ଠାରୁ ରୋପଣ କରିଲେ
ନାନା ଜାତି ତରୂଲତା,
ସକଳ ପ୍ରାଣୀର ତୃଷ୍ଣା ଭରିଗଲା
ମିଳିଲା ଜୀବନ ସତ୍ତା।।
ଯୁଗ ପରେ ଯୁଗ ବିତି ଚାଲିଥିଲା
ବୃକ୍ଷ ପାଉଥିଲା ଶାନ୍ତି,
ଆଧୁନିକତାର ହଳାହଳ ସ୍ପର୍ଶ
ବଢ଼ାଇ ଦେଲା ତା' କ୍ଳାନ୍ତି।।
ଚେରକୁ କାଟିଲା ଔଷଧ କରିଲା
ଡାଳ କାଟି ଥୁଣ୍ଟା କଲା,
ବସ୍ତ୍ର, ବାସଗୃହ ନିଜ ପାଇଁ କରି
ତା' କୂଳକୁ ନଷ୍ଟ କଲା।।
ଫୁଲ,ଫଳ ଦେଇ କିବା ନ'ଦେଇଛି
କରୁ ତାକୁ କଲବଲ,
ସିଏ ପରା ଆମ ପିଲାଦିନ ବନ୍ଧୁ
ଆମ ବାପା ମାଆ ମୂଲ।।
କଥା ଦିଅ ବନ୍ଧୁ କାଟିବାନି ଚେର
ଡାଳ ହେଉକି ପତର,
ସର୍ବେ ଏକ ଏକ ବୃକ୍ଷଟେ ରୋପିଲେ
ଜୀବନ ହୋଇବ ସାର।।
*************************
ଅଜୟ କୁମାର ଜେନା
ବଡ଼ରମ୍ପାସ,କେନ୍ଦୁଝର
୬୩୭୨୨୬୦୪୭୯
No comments:
Post a Comment