:: ବୃକ୍ଷ ମୋର ବନ୍ଧୁ ::
ତା'ପାଇଁ ଖାଦ୍ୟ ବସ୍ତ୍ର ବାସଗୃହ
ଅନାୟସେ ମିଳିଥାଏ,
ତା'ପାଇଁ ବର୍ଷା ତା'ପାଇଁ ସଂସାର
ବଞ୍ଚିବାର ରାହା ସିଏ।
ଅଙ୍ଗାରକାମ୍ଳକୁ ଶୋଷିନେଇ ପୁଣି
ଅମ୍ଳଜାନ ଦେଇଥାଏ,
ଫୁଲ ,ଫଳ, ମଧୁ ସଭିଙ୍କୁ ଯୋଗାଏ
ବୃକ୍ଷ ବନ୍ଧୁ ମୋର ସିଏ।
ଆସୁଯେତେ ଝଡ଼ ବରଷା ବତାସ
ମଥାପାତି ସହିଯାଏ,
ଆମପାଇଁ ଭୋଗେ ଯେତେକ କଷଣ
ତା'ପରି ହବ କିଏ।?
ଘୋର ବରଷା ଓ ପ୍ରଚଣ୍ଡ ଖରାରେ
ଧୀରେ ବହେ ପରିମଳ,
ତା'ଦେହ ଛାଇ ମଣିଷଙ୍କ ପାଇଁ
ଆହାକେତେ ସୁ ଶୀତଳ।
ପିଲାବେଳ ସାଥି ସେଇ ତ ଆମରି
ଖେଳିଛନ୍ତି ଆମେ ଦୋଳି,
ପଢ଼ିଛନ୍ତି ପାଠ ହୋଇଛନ୍ତି ବଡ଼
ଦେଖିଛି ସେ ଆମ ଅଳି।
କେତେ ସୁଖ ଦୁଃଖ କେତେ ରାଗ ରୁଷା
ମାନ ଅଭିମାନ କେତେ,
ବନ୍ଧୁପରି ସିଏ ରହିଅଛି ସାକ୍ଷୀ
ନ୍ୟାୟ ଅନ୍ୟାୟର ଯେତେ।
କାଟିଦେଲେ ଗଛ ଅନାହାରେ ବିଶ୍ୱ
ହନ୍ତ ସନ୍ତ ଖାଲିହେବେ,
ଏ ସୁନ୍ଦର ସୃଷ୍ଟି ବିଲୀନ ହୋଇବ
ସାବଧାନ ହୁଅ ସର୍ବେ।
ଗଛବିନା ଆମେ ବଞ୍ଚି ପାରିବାନି
ସେଇତ ଜୀବନ ଆମ,
ତାକୁ ବଞ୍ଚାଇଲେ ଆମେତ ବଞ୍ଚିବା
ହସିବ ଏ ଧରାଧାମ ।
ସେଥିପାଇଁ ତେବେ ଆସହେ ସଭିଏଁ
ଆଜି ଏ ଶପଥ ନେବା,
ଗୋଟିଏ ପିଲାକୁ ଗୋଟିଏ ଗଛ
ଗଣି ଗଣି ଲଗାଇବା।
---------------------------
ସରସ୍ବତୀ ପଣ୍ଡା
ଶ୍ରୀରାମପୁର,ମଙ୍ଗଳପୁର,ଯାଜପୁର,
ମୋ-୭୬୦୮୯୪୦୮୨୩
No comments:
Post a Comment