ଦିଶେ କେଡେ ସୁନ୍ଦର
ଜନ୍ମଭୂମି ମୋହର
ତା'ସହିତ କାହିଁ ସମକକ୍ଷ କିଏ
ଜଗତେ ତୁଳନା ନାହିଁ ଯାହାର।୦।
ହିମାଳୟ ମୁକୁଟ ଯାର
ପାଦ ଧୋଇଦିଏ ସାଗର
ବକ୍ଷେ ବହେ ଗଙ୍ଗାର ଜଳ
ଯମୁନା ଯା'ଗଳାର ମାଳ।
କଟି ଦେଶେ ତାର ଶତଗୁଣେ ଶୋଭା
ପାଉଅଛି ବିନ୍ଧ୍ୟ ପର୍ବତ ମାଳ।୧।
ଯାର ଧୂଳି, ମାଟି ଚନ୍ଦନ
ଦେବତା ଗାଏ ଯାର ଗୁଣ
ମାନବ ରୂପେ ନାରାୟଣ
ନେଇଥିଲେ ଏଠି ଜନମ ।
ସ୍ୱର୍ଗ ଠାରୁ ବଳି ପବିତ୍ର ଏ ମାଟି
ଭୂଲିହୁଏ ନାହିଁ ସେନେହ ଯାର ।୨।
ଯେ ଦେଶ ଗୀତା, ଭାଗବତ
ରାମାୟଣ, ମହାଭାରତ
ଜଗତେ ମାନବ କଲ୍ୟାଣ
ପାଇଁ ଜ୍ଞାନ କରଇ ଦାନ।
ବେଦ, ଉପନିଷଦ ବାଣୀ ଓଁକାର
ଧ୍ୱନିରେ ଯା' କମ୍ପଇ ତିନିପୁର ।୩।
ଯାହା କୋଳେ ରାଣା, ଶିବାଜୀ
ଭଗତସିଂ, ବୀର ନେତାଜୀ
ଦୁର୍ଗା, ମୀରା, ଅହଲ୍ୟା, ସୀତା
ଲକ୍ଷ୍ମୀବାଈ ଜଗତ ଜିତା ।
ଜନମି ମାଆର ଟେକ ରଖିଗଲେ
ଇତିହାସ ଗାଏ କୀରତି ଯା'ର ।୪।
ମୋକ୍ଷ ଭୂମି ମୁକତି ଦାତା
ବୀରପ୍ରସୂ ଭାରତମାତା
ଶତ୍ରୁ କମ୍ପେ ଶୁଣି ଯା'କଥା
ଭୟେ ନଇଁ ଯାଏ ତା ମଥା
ତା ନିମନ୍ତେ ମୋର ଯାଉ ଏ ଜୀବନ
ନିତ୍ୟ ସେବାକରି ପୟର ତାର ୫।
**************
ନରୋତ୍ତମ ପାତ୍ର
ନାସିଗାଁ,
କଳାହାଣ୍ଡି
No comments:
Post a Comment