ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପ୍ରଜ୍ଞା ପରମିତା ମହାପାତ୍ର , ଖୋର୍ଦ୍ଧା

 :: ବୃକ୍ଷ ମୋର ବନ୍ଧୁ ::
**********************

ଏନ୍ତୁଡ଼ି ଶାଳରୁ ଲୋଡ଼ା ପରା ସେଇ
                   ଜୁଇ ଜଳେ ତା ପାଇଁ
ତା ବିନା ଜୀବନ ଅସମ୍ଭବ ତାର
                 ବିନୁ ଅନ୍ୟ ଗତି ନାହିଁ।୦
ଜୀଇଁବା ପାଇଁ ତ ସେଇ ଏକା ସାହା
                 ନିଶ୍ୱାସ ହିଁ ନାମ ତାର
ଜୀବର ଆଧାର ମୂଳମନ୍ତ୍ର ପରା
               ଗୋଟିଏ ଲକ୍ଷ ତାହାର।୧
ଚାହେଁ ନାହିଁ କେବେ କାହା ଅପକାର
              କରେନି ଛଳ କପଟ
ଭାବେନାହିଁ କେବେ ପର ଆପଣାର
             ସଭିଏଁ ତାର ନିକଟ।୨
ଅମ୍ଳଜାନ ଦେଇ ଜୀବନ ବଞ୍ଚାଏ
             ପେଟକୁ ଦିଏ ଆହାର
ଶୀତଳ ଛାଇରେ ଥକା ସେ ମେଣ୍ଟାଏ
             ଅବିରତ ପଥିକ ର।୩
ଅଙ୍ଗ ଅଙ୍ଗ ତାର ଦାନ କରିଦିଏ
             ଏ ଜୀବ ଜଗତ ପାଇଁ
ତା ପରି ବନ୍ଧୁ ଏ ଜଗତେ ବୋଧେ
             ଆଉ କେ ମିଳିବେ ନାହିଁ।୪
ଯେଉଁ ବିଦ୍ୟା ବଳେ ଏ ସମାଜ ଆଜି
             ଫେରିଲାଣି ମଙ୍ଗଳ ରୁ
ସେଥିପାଇଁ ଯେଉଁ ବହି ଓ କାଗଜ
             ତିଆରି ତାର ଦେହରୁ।୫
ଇଶ୍ୱର ଙ୍କ ପାଦ ପୁଜିବାକୁ ଯେଉଁ
             ଫୁଲ,ଫଳ ଲୋଡ଼ା ହୁଏ
ହସି ହସି ସେଇ ବନ୍ଧୁଟି ମୋହର
              ନିଇତି ଯୋଗାଉ ଥାଏ।୬
ନାହିଁ କେହି ଶତ୍ରୁ ସଂସାରେ ତାହାର
              ବନ୍ଧୁ ସେ ସମସ୍ତଙ୍କର
କୀଟପତଙ୍ଗ ର ବାସଗୃହ ସିଏ
             ବାରଣ ନାହିଁ ତାହାର।୭
ଅଳି ଅରଦଳି ମାଆ ପରି ସହେ
              ମହତ ପଣ ତ ତାର
ଦେଇନାହିଁ ସିନା ଜନମ ଆମକୁ
             ହେଲେ ସେ ମା' ଆମର।୮
ଯେଉଁ କାଠୁରିଆ କାଟିବାକୁ ତାକୁ
             ଟାଙ୍ଗିଆ ହାତରେ ଧରେ
ଥକିଗଲେ ସେଇ କାଠୁରିଆ ପୁଣି
             ବସେ ତାର ଛାଇ ତଳେ।୯
ୟାକୁ ତ କହନ୍ତି ପ୍ରକୃତ ବନ୍ଧୁଟେ
             ଅନୁଶୋଚନା ତା ନାହିଁ
ପ୍ରତିଦାନେ କିଛି ଆଶା ସେ କରେନି
           କାହାକୁ ସେ କିଛି ଦେଇ।୧୦
କେବେ ଶ୍ଵାସ ,ବାସ ସେ କାହାର
           କେବେ କା ପେଟ ଆହାର
କେବେ ଓଠହସ,କେବେ ଫୁଲବାସ
        କେବେ ସେ ଜୀବ ଆଧାର।୧୧
ତଥାପି ମଣିଷ ବୁଝୁନି ତ ଆଜି
            ଅମୂଲ ମୂଲ କୁ ତାର
ରକ୍ଷକ ହୋଇ ଭକ୍ଷକ ସାଜେ
           ଭାବେନି ଭବିଷ୍ୟ ତାର।୧୨
ଦୁର୍ବିସହ ପରା ତା ବିନା ଜୀବନ
           ଗ୍ରହଣ ସିନା ନ କରେ
ନିଜ ହାତେ ଆଜି କୁରାଢ଼ୀ ମାରୁଛି
           ମଣିଷ ନିଜ ଗୋଡ଼ରେ।୧୩
ବନ୍ଧୁର ମହତ ବୁଝି ପାରୁନାହିଁ
           ଶ୍ରେଷ୍ଠ ଜୀବନ ଟେ ପାଇ
ଶତ୍ରୁ ଆଉ ମିତ୍ର ଫରକ ଟା ଆଜି
           ମଣିଷ ତ ବୁଝୁ ନାହିଁ।୧୪
ଏତିକି ମିନତି କରିବି ସଭିଙ୍କୁ
           ମନେ ରଖିବ ହେ ବନ୍ଧୁ
ବୃକ୍ଷ ନୁହେଁ ଖାଲି ଉପକାର ର ସେ
           ଅଥଳ ଜଳଧି ସିନ୍ଧୁ।୧୫
ଆପଣେଇ ନେଲେ ଥରଟିଏ ତାକୁ
           ଖୁସି ରେ ଭରେ ଜୀବନ
ସବୁ ବନ୍ଧୁ ଠାରୁ ଅନ୍ତରଙ୍ଗ ବେଶି
            ସେଇତ ଆମ ସପନ
             ସେଇତ ଆମ ସପନ।।୧୬
   *
     ପ୍ରଜ୍ଞା ପରମିତା ମହାପାତ୍ର
      ଭୁବନେଶ୍ୱର, ପଟିଆ
     9937847856

No comments: