:: ବୃକ୍ଷ ମୋର ବନ୍ଧୁ ::
ଏନ୍ତୁଡ଼ି ଶାଳରୁ ବୃକ୍ଷ ସହ ମୋ ପ୍ରଥମ ପରିଚୟ
କୋଳି କାଠ ଖଣ୍ଡେ ଛଅ ଦିନ ଜଳୁ ଥିଲା ଅହରହ।
ପୁଣି ଛଅ ଖଣ୍ଡ କାଠ କୋକେଇ ର ପାଇଁ ହେବ ଲୋଡ଼ା
ସେ କାଠ ଜୁଇରେ ଶ୍ମଶାନର କୋଳେ ଶେଷେ ହେବି ପୋଡା।
କୋଳରେ ଧରିଛି ମୋତେ କାଠ ବାଉଁଶ ର ଚାଳ ଘର
ବଞ୍ଚାଇ ରଖିଛି ଫୁଲ ଫଳ କେତେ ଯେ ଦେଇ ଆହାର।
ନିଶ୍ୱାସେ ବହଇ ପବନ ତାର ଶାଖା ପ୍ରଶାଖା ଦେଇ
ଆକାଶରୁ ଝରି ପଡେ ବାରି କେବଳ ତାହାରି ପାଇଁ।
ନିଦାଘ ରେ ସିଏ ଦେଉ ଥାଇ ପଥିକେ ଶୀତଳ ଛାୟା
ଭିଡି ରଖେ ମାଟି ଧରା ପରେ ବିସ୍ତାରି ବିଶାଳ କାୟା।
ସେହି ବୃକ୍ଷ କୋଟି କୋଟି ଜନେ ଯୋଗାଉଛି ଅନ୍ନ ବସ୍ତ୍ର
ରୋଗ ଲାଗି କେତେ ଔଷଧ ତାହାର ଚେର ଡାଳ ପତ୍ର।
ସ୍ୱୟଂ ଜଗନ୍ନାଥ ଦାରୁ ବ୍ରହ୍ମ ରୂପେ ଗଢ଼ା ବୃକ୍ଷ ଅଂଶେ
ବୃକ୍ଷରୁ ନିର୍ମିତ ରଥେ ବସି ଭକ୍ତଙ୍କୁ ମିଳନ୍ତି ହର୍ଷେ।
ଜୀବନ ପାଳକ ବୃକ୍ଷ ବନ୍ଧୁ ସଖା ସାଥୀ ସହୋଦର
ଶେଷେ ମାଟି ପିଣ୍ଡ ଜଳି ତା ଦେହରେ ହୋଇବ ଯେ ଖାର।
ପ୍ରଦ୍ୟୁମ୍ନ ପଟ୍ଟନାୟକ
ଭୁବନେଶ୍ୱର
No comments:
Post a Comment