_ ରଜପର୍ବ_
ନିଦାଘର ଶେଷେ ମୌସୁମି ପ୍ରବେଶେ
ମେଘମେଦୁରିତ ନଭ
ଶୀତଳ ହିଲ୍ଲୋଳେ ବୃକ୍ଷେ ଦୋଳି ଝୁଲେ
ଧରା ପୃଷ୍ଠେ ରଜପର୍ବ
ଜ୍ୟେଷ୍ଠ ଶେଷ ଦିନ ଆଷାଢ଼ ର ଦୁଇ
ଦିନକୁ ମିଶାଇ ରଜ
ଓଡ଼ିଶାର ପୁରପଲ୍ଲୀ ପୂର୍ବଦିନୁ
ହେଉଥାଏ ସଜବାଜ
ବାଳୁତ ରୁ ବୃଦ୍ଧ ଧନୀ ରୁ ନିର୍ଧନ
ସବୁରି ମନରେ ଖୁସି
ରଜ ତିନି ଦିନ କରିବେ ମଉଜ
ଭୁଲି ଭଵ ଦୁଃଖ ରାଶି
କିଶୋରୀ ତରୁଣୀ ବୋହୂ ଭୁଆସୁଣୀ
ନବ ଵସ୍ତ୍ର ପରିଧାନେ
ଖାଇ ପିଠା ମିଠା କାକରା ଆରିସା
କଳେ ଜାକି ଖିଲିପାନେ
ଝୁଲନ୍ତି ଦୋଳିରେ ପୁଲକିତ ମନେ
କଣ୍ଠେ ରଜ ଗୀତ ଧ୍ଵନି
ଭୁରୁଭୁରୁ ଗନ୍ଧ ସୁବାସ ଅତରେ
ମହକେ ପଣତ କାନି
କବରୀ ରେ ଝୁଲେ ମଲ୍ଲି କଢି ମାଳ
ମଥାରେ ଚନ୍ଦନ ଟୋପା
ଖିଲି ଖିଲି ହସେ ଅନୂଢା କୁଆଁରୀ
ଅନୁପମା ଅପରୂପା
ଏସନ ଯେ ଝିଅ ଆରସନ ବୋହୂ
ରଜ ବୁଲା ଦୋଳି ଖେଳ
ସରିଯିବ ତାର ବାପଘର ସୁଖ
ଗାଆଁ ସାଙ୍ଗ ସଖୀ ମେଳ
ରସିକ ନାଗର ପ୍ରେମିକ ପ୍ରବର
ପ୍ରେମିକା କୁ ସାଥେ ନେଇ
ଝୁଲନ୍ତି ଦୋଳିରେ ରାଧାକୃଷ୍ଣ ଯୋଡି
ଏକାନ୍ତେ କୁଞ୍ଜରେ ଯାଇ
ବିଦେଶୁ ଫେରନ୍ତା ବାପା ଭାଇ କେହି
ଦେଖାନ୍ତି ଗହଣା ଶାଢି
ଶାଶୂ ବୋହୂମିଶି ପିଠା ଗଢୁ ଥାନ୍ତି
ନଣନ୍ଦ ଖୁଆଏ ବାଢ଼ି
କା ମନ ମଣିଷ କଣ୍ଟ ଦେଇଥିଲା
ଆସିବ ରଜକୁ ଫେରି
କରୋନା ବେମାରି ହୋଇଛି ଭାଗାରି
ବିରହେ ହେଉଛି ଘାରି
ବାଟେ ଘାଟେ ଆଜି ଗହଳି ଚହଳି
ଗାଆଁ ଝିଅ ଦଳ ଦଳ
ତାଆସ ପଶାର ଆସର ଜମିଛିି
ଟୋକାଙ୍କ କବାଡି ଖେଳ
ରଜସ୍ୱଳା ଏବେ ଧରଣୀ ରମଣୀ
ଗର୍ଭେ ଧରିବାକୁ ଶସ୍ୟ
କୋଟି କୋଟି ଜନ ମୁଖେ ଦେବ ଅନ୍ନ
ସକଳେ ହୋଇବେ ପୋଷ୍ୟ
ବର୍ଷ ପରେ ବର୍ଷ ଏଇମିତି ରଜ
ଆସୁଥାଉ ଯାଉ ଥାଉ
ଅପସରି ଯାଉ ଜଗତୁ କଷଣ
ନରହୁ କରୋନା ଦାଉ।
##########
ପ୍ରଦ୍ୟୁମ୍ନ ପଟ୍ଟନାୟକ।
୧୦୧, ପ୍ରକାଶଦୀପ ଟାୱାର, ଜୟଦୁର୍ଗା ନଗର
ଭୁବନେଶ୍ୱର- 06
No comments:
Post a Comment