ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜପର୍ବ - ପ୍ରେମାନନ୍ଦ ବେହେରା , ବରଗଡ଼


 ରଜପର୍ବ
*****
ବାରମାସେ ତେର ପରବ ପାଳନ
ଉତ୍କଳୀୟ ପରମ୍ପରା
ତିନିଦିନ ବ୍ୟାପୀ ରଜ ପରବରେ
ବିଶ୍ରମନ୍ତି ମାତା ଧରା ।।୧।।

ନିଦାଘ ପ୍ରଚଣ୍ଡ ରୌଦ୍ରତାପେ ତପ୍ତ
ପୃଥିବୀ ଜନନୀ ବକ୍ଷ
ଆଦ୍ୟ ଆଷାଢ଼ର ପହିଲି ବରଷା
ଜଗାଏ ପ୍ରାଣେ ପୁଲକ ।।୨।।

ଏକ ବାଷ୍ପଧର୍ମୀ ତରଳ ପଦାର୍ଥ
ହୁଏ ବର୍ଷାରୁ ନିର୍ଗତ
ବସୁମତୀ ମାତା ରଜୋବତୀ ହୁଏ
ରଜପର୍ବରେ ନାମିତ ।।୩।।

ଦିନ ପରେ ଦିନ ଗଡି ଯାଉଅଛି
ଆସୁଅଛି ଦେଖ ରଜ
ନୂଆଁ ଲୁଗାପଟା ତିଆରି କରୁଥା
ହୋଇଯାଅ ସଜବାଜ ।।୪।।

ବର୍ଷା ଆଗମନେ ଭୁମି ରଜସ୍ଵଳା
ନୂଆ ଶସ୍ୟ ଉପୁଜିବେ
ସମସ୍ତଙ୍କ ମନ ଆନନ୍ଦେ ମଗନ
ନୂଆଁ ପୋଷାକ ପିନ୍ଧିବେ ।।୫।।

ଘରେ ଘରେ ପିଠା ପଣା ଫଳମୂଳ
ଆନନ୍ଦେ କରନ୍ତି ଭୋଜନ
ଗ୍ରାମ୍ୟ ପରିବେଶ ଚଞ୍ଚଳ ହୁଅଇ
ଚାଷୀକୁ ମିଳଇ ବିଶ୍ରାମ ।।୬।।

ତାସ୍‌ ଲୁଡ଼ୁ କୁସ୍ତି ବାଗୁଡି କବାଡ଼ି
ପିଲାଏ ଖେଳ ଖେଳନ୍ତି
ଗ୍ରାମର ଦୁହିତା ବୋହୁ ଭୁଆଶୁଣି
ହରଷେ ଦୋଳି ଝୁଲନ୍ତି ।।୭।।

ଥଟ୍ଟା ପରିହାସ ମଜା ମଜଲିସ
ରଜଦୋଳି ଗୀତ ଗାଇ
ନୂଆଁ ବଧୁ ଲାଜେ ଓଢଣୀ ଟାଣଇ
ମୁରୁକି ହସ ହସଇ ।।୮।।

ପରସ୍ପର ସ୍ନେହ ଶ୍ରଦ୍ଧା ପ୍ରୀତି ଭାବ
ବଢାଏ ପରବ ମାନ
ଖିଲି ପାନ ଖାଇ ବିମ୍ବିତ ଅଧରେ
ନାଚନ୍ତି ସରବ ଜନ ।।୯।।

ସାରା ଜଗତରେ ସୁଖ୍ୟାତି ଲଭିଛି
ଆମ ଉତ୍କଳ ସଂସ୍କୃତି
ଜଗନ୍ନାଥ ଦେଶ ପୁଣ୍ୟ ମୋ ଓଡିଶା
ଗର୍ବରେ ଫୁଲେ ମୋ ଛାତି ।।୧୦।।

ପ୍ରେମାନନ୍ଦ ବେହେରା,

 ସହକାରୀ ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ପଦ୍ମପୁର, ଜିଲ୍ଲା - ବରଗଡ଼
ମୋ.ନଂ. ୯୪୩୮୨୯୨୩୧୩

No comments: