କୃଷକ
********************
ଭାରତ ମାତାର ସୁଯୋଗ୍ଯ ସନ୍ତାନ
କୃଷକ ଅଟେ ତା ନାମ ।
ଧରଣୀ ବୁକୁରେ ଫସଲ ଉଗାଏ
କୃଷିକାର୍ଯ୍ଯ ତା'ର କାମ ॥୧॥
ଖରା ବର୍ଷା ଶୀତ ସହି ଦୁଃଖ କଷ୍ଟ
ଜୀବନ ତା ବିତି ଯାଏ ।
ମାଟି କାଦୁଅରେ ସର ସର ହୋଇ
ଦିନ ରାତି ଖଟୁଥାଏ ॥୨॥
ଜଗତ ଜନଙ୍କ ଭୋକ ମେଣ୍ଟାଇବା
ଲକ୍ଷ୍ୟ ତା'ର ଜୀବନର ।
ଛାତିର ଲୁହକୁ ପିଇ ଯାଏ ସିନା
କାନ୍ଦୁଥାଏ ନିରନ୍ତର ॥୩॥
ମୁଣ୍ଡ ଝାଳ ତୁଣ୍ଡେ ମାରି କାମ କରେ
କଷ୍ଟ ସହେ ହସି ହସି ।
ବରଷା ତାହାର ଏକଇ ଭରସା
ବର୍ଷା ହେଲେ ହୁଏ ଖୁସି ॥୪॥
ଅଦିନିଆ ବର୍ଷା ରୋଗ ପୋକ ଦାଉ
କୁଆପଥରର ମାଡ଼ ।
ସୁନାର ଫସଲ ଉଜାଡ଼ି ଦିଅଇ
ଭାଙ୍ଗେ ତା'ର ମେରୁ ହାଡ଼ ॥୫॥
କୃଷକ ଦେଶର ମେରୁଦଣ୍ଡ ବୋଲି
କଥାରେ କହନ୍ତି ଖାଲି ।
ବିପଦ ବେଳେ ତା ସାହା ହୁଅନ୍ତି ନି
ଚାହିଁଥାଏ ଆଖି ଖୋଲି ॥୬॥
ଅଭାବି ବିକ୍ରିର ସାମ୍ନା କରି ସେ
କେବେ ଭାଙ୍ଗି ପଡ଼େ ନାହିଁ ।
ପରିଶ୍ରମ ଫଳ ନ ପାଇ ବି ସିଏ
କର୍ମକୁ ଧର୍ମ ମଣଇ ॥୭॥
ପନିପରିବାର ମୂଲ୍ୟ ବଢ଼ିଗଲେ
ବଡ଼ ଲୋକଙ୍କୁ ଯନ୍ତ୍ରଣା ।
ବୁଝି ପାରନ୍ତି ନି ପରିଶ୍ରମ ତା'ର
କରି କୁମ୍ଭୀର କାନ୍ଦଣା ॥୮॥
ଯା'ର ପ୍ରତିଦାନେ ଚଲୁଛି ସଂସାର
ତା'ର ଦୁଃଖ କେ'ବା ସହୁ ।
ଜୀବନ ସମର୍ପି ହସି ହସି କହେ
ଜଗତ ଉଦ୍ଧାର ହେଉ ॥୯॥
କ୍ଷୁଧାର୍ତ୍ତକୁ ଅନ୍ନ ଯୋଗାଉଛି ବୋଲି
ନାମ ତା'ର ଅନ୍ନଦାତା ।
ଦର୍ଶନ ଅର୍ଥରେ କହିବାକୁ ଗଲେ
କୃଷକ ସ୍ବୟଂ ବିଧାତା ॥୧୦॥
##########################
ଜଗନ୍ନାଥ ପଧାନ
ଖନ୍ଦା, ଲାଉମୁଣ୍ଡା, ବରଗଡ଼
No comments:
Post a Comment