କୃଷକ
କୃଷକ ଜାତିରେ ଜନମ ମୋହର
ଚାଷ ବାସ ଅଟେ କାମ,
ମୁଣ୍ଡଝାଳ ତୁଣ୍ଡେ ମାରି ବର୍ଷସାରା
ଯୋଗାଉ ଥାଏ ମୁଁ ଅନ୍ନ ll
ଗ୍ରୀଷ୍ମ ବର୍ଷା ଶୀତ ଋତୁ ସବୁଦିନେ
କରିଥାଏ ପରିଶ୍ରମ,
ଜାତିଜାତିକା ମୁଁ ଫସଲ ଫଳାଏ
ସେବାକୁ ମଣିଛି ଧର୍ମ ll
ନିଦାଘ ରୌଦ୍ରର ପ୍ରଖର ଉତ୍ତାପେ
ଥକିଯାଇ ନାହିଁ କେବେ ,
ଝାଳ ନାଳ ସବୁ ବୁହାଏ ମାଟିରେ
ସୁନାର ପୃଥିବୀ ଲବେ ll
ବରଷା ତୋଫାନ ଝଡି ଘଡ଼ଘଡ଼ି
ତହିଁକି ନାହିଁ ଖାତିରି,
ଚାଷ ତରତର ବଣିଜ ମଠ ଯେ
ହୃଦରେ ନେଇଛି ଗାରି ll
ଶୀତ କାକରରେ ଲହରୀ ମାରଇ
ସୁନାର ଫସଲ ବିଲେ,
ଅମଳ କରି ପରଜା ପାଳଇ
ଛାତି ଗରବରେ ଫୁଲେ ll
କର୍ଷଣେ କର୍ଷିତ ଧରା ସୁଶୋଭିତ
ଅପୂର୍ବ ସମ୍ଭାର ହସ,
ଶାଗୁଆ କ୍ଷେତର ପଣତ ଉହାଡେ
ପ୍ରକୃତି ଭାଙ୍ଗେ ଅଳସ ll
ଲଙ୍ଗଳ ଜୁଆଳି ବଳଦ ବାପୁଡା
ହୁଅଇ ମୋହର ସାଥୀ,
ମାଟି ସାଥେ ମାଟି ଯାଏ ଖଟିଖଟି
ଜୀବନଟା ଯାଉ ବିତି ll
ଏଇ ଦେଶୁ କେତେ ସନମାନ ପାଏ
ଚଷା ଘର ପୁଅ ହୋଇ,
ଆତ୍ମସନ୍ତୋଷରେ ପ୍ରଫୁଲ୍ଲିତ ହୁଏ
ସର୍ବ ମୁଖେ ଦାନା ଦେଇ ll
କୃଷକ ବଞ୍ଚିଲେ ଦେଶର ସମୃଦ୍ଧି
କଥା ଥିବ କାଳେ କାଳେ ,
ଦେଶ ପ୍ରଗତି ଓ ଅର୍ଥନୀତି ବଳେ
ବଳୀୟାନ ମହୀ ତଳେ ll
======@=======
ଅଶୋକ କୁମାର ପ୍ରଧାନ
ତର୍କାବେଡା , କଡଲା
ଜିଲ୍ଲା :ଢେଙ୍କାନାଳ
ମୋ :9556666355
ଇ ମେଲ୍ : ashok80pradhan@gmail.com






No comments:
Post a Comment