:: ମୋ ଜନମ ଭୂଇଁ ::
ଯେଉଁ ଦେଶରେ ମୁଁ ଲଭିଛି ଜନମ
ଯାହାର ପାଣି ପବନ ପିଇ
ଯାହାର କୋଳେ ବଢୁଛି ସକଳେ
ସେଇ ତ ମୋର ଜନମ ଭୂଇଁ l
ତା'ରି ବଣ କାନ୍ତାରରେ ବୁଲି
ଖାଇଅଛି କେତେ ମଧୁର କୋଳି
ତା'ରି ବର ଓହଳରେ ମୁହିଁ
ଖେଳିଅଛି କେତେ ନିଈତି ଦୋଳି l
ତା'ରି ନଦ ନଦୀ ଝରଣା କୂଅରୁ
ପିଇଅଛି ମୁହିଁ ଶୀତଳ ଜଳ
ତା'ତରୁ ଲତା ସବୁଜ ବନାନୀ
ଦେଇ ଅଛି କେତେ ମଧୁର ଫଳ l
ତା ଟିକି ଗଛରୁ କେତେ ମୁଁ ତୋଳିଛି
ରଙ୍ଗ ବେରଙ୍ଗର ବିବିଧ ଫୁଲ
ତା ବାଲି ଧୂଳି ଦେହରେ ବୋଳି ମୁଁ
ପାଇଅଛି କେତେ ଅମୂଲ ମୂଲ l
ତା 'ରି କଣ୍ଠ ରୁ ପ୍ରଭାତୁ ଶୁଣିଛି
ବିହଙ୍ଗର କେତେ ମଧୁର ଗୀତ
ସହିଅଛି କେତେ ବରଷା ଖରା ମୁଁ
ହୋଇ ନାହିଁ ଶେଷ କାକର ଶୀତ l
ନଦ ନଦୀ ବଣ ପାହାଡ଼ ଝରଣା
ସବୁ ତ ମୋର ପରାଣ ମିତ
ଗାଇଅଛି କେତେ ହରଷରେ ମିଶି
ଜନମ ଭୂଇଁର ବନ୍ଦନା ଗୀତ l
ଜନମ ଭୂଇଁ ମୋ ପରାଣ ଠୁଁ ବଡ଼
ମଧୁର ତାର ମୁଖର ଭାଷା
ଜୀବନ ଦେବି ମୁଁ ତାରି ସେବାରେ
କରିଅଛି ମୁହିଁ ନିରତେ ଆଶା l
ସାଗର ଯାହାର ଧୋଉଛି ଚରଣ
ହିମାଳୟ ଯାର ଶିରେ ମୁକୁଟ
ମୋ ଜନମ ଭୂଇଁ ଭାରତ ଜନନୀ
ଜଗତରେ ଅଟେ ସବୁଠୁ ଶ୍ରେଷ୍ଠ l
ଗଙ୍ଗା ଗୋଦାବରୀ ନର୍ମଦା କାବେରୀ
ହିମାଳୟ ଠାରୁ କନ୍ୟା କୁମାରୀ
ଓଡ଼ିଆ- ହିନ୍ଦୀ -ତାମିଲ- ବଙ୍ଗଳା
ଭାଇ ଭଉଣୀ ତ ସର୍ବେ ଆମରି l
କେତେ ଭାଷା ଭାଷୀ ଜନ ସମ୍ପ୍ରଦାୟ
ସକଳେ ଆମରି ଭଉଣୀ ଭାଇ
ଏକତା ଆମର ତିରଙ୍ଗା ପତାକା
ଜନ -ଗଣ- ମନ ସଭିଏଁ ଗାଇ l
ଜନମି ଭାରତେ ନିଜକୁ ମଣୁଛି
ଶତ ଶତ ବାର ଧନ୍ୟ ମୁହିଁ
ବୀର ପ୍ରସଵୀନି ଭାରତ ଜନନୀ
ପ୍ରଣାମ କରେ ମୁଁ ତା ପାଦ ଛୁଇଁ l
***
## ଡଃ ପଦ୍ମ ଲୋଚନ ରାଉତ
ଇଂରାଜୀ ଅଧ୍ୟାପକ,
କାଲିମେଳା, ମାଲକାନଗିରି l
No comments:
Post a Comment