ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ବେଦବ୍ଯାସ ମେହେର , ବରଗଡ଼


🌳 ବୃକ୍ଷ ମୋର ବନ୍ଧୁ 🌳

ଆହେ ବୃକ୍ଷ ! ତୁମେ ଏଇ ଜୀବନର
ବନ୍ଧୁ ପରା ଅଟ ମୋର
ଏଇ ଜୀବନରେ ଶୁଝିକି ପାରିବି
ତୁମ ଯେତେ ଉପକାର  ।

ଅମ୍ଳଜାନ ଦେଇ ଦୁନିଆକୁ ତୁମେ
ଦେଇଅଛ ମହାଦାନ
ପୃଥିବୀ ପୃଷ୍ଠରେ ବଞ୍ଚାଇଣ ଅଛ
ପ୍ରାଣୀମାନଙ୍କ ଜୀବନ  ।

ବାୟୁମଣ୍ଡଳର ଅଙ୍ଗାରକାମ୍ଳରେ
ବିପଦ ଆମ ଜୀବନ
ସେଇ ବିଶାଷକ୍ତ ଅଙ୍ଗାରକାମ୍ଳକୁ
ବୃକ୍ଷ କରଇ ଗ୍ରହଣ  ।

ଫଳାଇ ଅଛିଯେ ଅଙ୍ଗରେ ତାହାର
ନାନା ପ୍ରକାରର ଫଳ
କ୍ଷୁଧା ନିବାରଣ କରିବା ପାଇଁକି
ପ୍ରାଣୀଙ୍କୁ ଦିଅଇ ଫଳ  ।

ପୃଥିବୀ ପୃଷ୍ଠରେ ବନେ ଉପବନେ
ଗଛ ପରା ଜନ୍ମିଅଛି
ସବୁ ଦୁଃଖ କଷ୍ଟ ସହ୍ୟକରି ସିଏ
ସଦା ମଉନ ରହିଛି  ।

ତୁମପାଇଁ ବର୍ଷା ହୋଇଥାଏ ପରା
କରିଥାଅ ଜଳଦାନ
ବର୍ଷା ନହୋଇଲେ ସୃଷ୍ଟି ନାଶ ହେବ
ହୋଇଗଲେ ଜଳଶୂନ୍ଯ  ।

ବୃକ୍ଷ ପାଇଁ ଶୁଦ୍ଧ ଏଇ ପରିବେଶ
ଶୁଦ୍ଧ ଅଟେ ତାର କାୟା
ବାଟୋଇକୁ ପରା ଦେଇଥାଏ ସିଏ
ସୁଶୀତଳ ଭରା ଛାୟା  ।

ପ୍ରାଣୀ ଜଗତର ସେବା କରିଥାଏ
ଏଇ ପରା ବୃକ୍ଷ ଆମ
ତା'ର ଔଷଧୀୟ ଗୁଣରେ କରଇ
ରୋଗର ନିରାକରଣ  ।

କବାଟ ଚଉକି ଖଟ ଆଲମିରା
ଗଢାହୁଏ ତୋ ପଟାରେ
ତୋର ଶୁଷ୍କ ଡାଳ ବ୍ୟବହୃତ ହୁଏ
ଜାଳେଣୀ କାଠ ଭାବରେ  ।

ଠାକୁର ପାଖରେ କାଠର ଚନ୍ଦନ
ହୋଇଥାଏ ବ୍ଯବହାର
କପାଳରେ ଯଦି ଚନ୍ଦନ ମାରିଲେ
ଗ୍ରହ ଦୋଷ ହୁଏ ଦୂର  ।

ପଚାସଢା ଯେତେ ଶୁଷ୍କ ପତ୍ର ଆଦି
ସାର ହୁଅଇ ଜମିରେ
ପକ୍ଷୀମାନେ ପୁଣି ବସା ବାନ୍ଧିଥାନ୍ତି
ବୃକ୍ଷର ଡାଳ ଉପରେ  ।

ତୁମରି ଡାଳରେ ପକ୍ଷୀଗଣ ବସି
ଗାଆନ୍ତି ମଧୁର ଗୀତ
ସେଇ ଗୀତ ଶୁଣି ଆନନ୍ଦ ଲାଗଇ
ବୃକ୍ଷ ମୋ ପରାଣ ମିତ  ।

କେଉଁ ପୂଣ୍ୟ ବଳେ ପୃଥିବୀରେ ଜନ୍ମି
ବୃକ୍ଷେ ଫୁଲ ଫୁଟିଅଛି
ସୁଗନ୍ଧ ଅଟଇ ସେଇ ଫୁଲ ପୁଣି
ଠାକୁର ଶିରେ ଲାଗୁଛି  ।

ଅଙ୍ଗକୁ ତାହାର ଦାନ କରିବାକୁ
କୁଣ୍ଠାଭାବ ନାହିଁ କେବେ
ନାହିଁ ତାହା ପାଶେ ଭେଦାଭେଦ ଭାବ
ଅଙ୍ଗଦାନ କରେ ତେବେ  ।

ଗଛ ଥିଲେ ମାଟି ଉର୍ବର ହୁଅଇ
ମୃତ୍ତିକା କ୍ଷୟ ହୁଏନି
ଚେରରେ ମାଟିକୁ ବାନ୍ଧି ରଖିଥାଏ
ଏହି କଥା ଥିବା ଜାଣି  ।

ଯେବେ ଆସିଥାଏ ମହାବାତ୍ୟା ପୁଣି
ଉଗ୍ରରୂପକୁ ଧରିଣ
ନର ଲୁଚିଥାଏ ଆତ୍ମରକ୍ଷା ପାଇଁ
ହୋଇ କାପୁରୁଷପଣ  ।

ବୃକ୍ଷଯେ କରଇ ବୀରର ଦର୍ପରେ
କରେ ପ୍ରତିରୋଧ ତାର
ବୀର ଦର୍ପପଣେ ଠିଆଯେ ହୋଇଣ
କରେ ଭୀଷଣ ସମର  ।

କେତେ ଦାନୀବୀର ମହାଦାନୀ କର୍ଣ୍ଣ
ହରିଶ୍ଚନ୍ଦ୍ର ଅବା ବଳୀ
ଦାନୀର ପଣରେ ବୃକ୍ଷଠାରୁ ପୁଣି
କେବେ ଯିବେ ନାହିଁ ବଳି  ।

କେତେ ମହାବୀର କେତେ ମହାଦାନୀ
ଥିଲେ ଏଇ ଧରାଧାମ
ତୁମ ବୀରତ୍ବରେ ତୁମ ଦାନୀପଣେ
ସମସ୍ତ ନତବଦନ  ।

ଭୂମିରୁ ଉତ୍ପତ୍ତି ହୋଇଣ ତୁମେଯେ
ସହିଛ ସବୁ କଷଣ
ତ୍ଯାଗ କରୁଅଛ ଭୋଗ କରୁନାହଁ
ଧନ୍ଯ ତୁମର ଜୀବନ  ।

ଗାଇବାକୁ ପୁଣି ଗୁଣଯେ ତୋହର
ମୁଖେ ନାହିଁ ଭାଷା ମୋର
ଦିବ୍ୟ ଗୁଣ ଦେଖି ତୁମଠାରେ ପୂଜେ
ମହତ ଜ୍ଞାନୀ ନର  ।

ବୃକ୍ଷ ହିଁ ଜୀବନ ବୃକ୍ଷ ଆମ ଧନ
ଅଟଇ ସବୁରି ମୂଳ
ବୃକ୍ଷ ବିନା ଏଇ ସୃଷ୍ଟି ନ ରହିବ
ହୋଇଯିବ ମହାକାଳ  ।

ପୃଥିବୀ ମାତାର ବୃକ୍ଷ ଅଳଙ୍କାର ମାନବର ମହୋଷଧି
ବୃକ୍ଷଟି ଆମର ପରାଣ କରତା
ଅଟେ ଜୀବନ ବାରିଧି  ।

ତୁମରି କାଠରେ ଗଢା ହୋଇଛନ୍ତି
ସେଇ ଚତୁର୍ଦ୍ଧାମୂରତି
ନିଳାଚଳେ ଥାଇ ଦର୍ଶନ ଦିଅନ୍ତି
ଭକତ ପାଆନ୍ତି ମୁକ୍ତି  ।

ସତ୍ୟଯୁଗେ ହେଲେ କାଠରୁ ବାହାର
ନରସିଂହ ନାରାୟଣ
କାଠର କୋଦଣ୍ଡ ଧନୁକୁ ଧରିଲେ
ତ୍ରେତୟାରେ ପ୍ରଭୁ ରାମ  ।

ଦ୍ବାପର ଯୁଗରେ ଶ୍ରୀକୃଷ୍ଣ ଧରିଲେ
ମୋହନ ବଂଶୀ ଯେ କାଠ
କଳିଯୁଗେ ନିଜେ ଦାରୁମୟ ହେଲେ
ମହାପ୍ରଭୁ ଜଗନ୍ନାଥ  ।

ଜୀବ ଚାଲିଗଲେ ତାହା ସାଥେ ପୁଣି
ଯିବେ ନାହିଁ ବନ୍ଧୁ କେହି
ଆହେ ବୃକ୍ଷ ବନ୍ଧୁ! ତୁମେ ଏକା ଯିବ
ଛଅ ଖଣ୍ଡ କାଠ ହୋଇ  ।

ବୃକ୍ଷ ହିଁ ଜୀବନ ବୃକ୍ଷ ହିଁ ସମ୍ପତ୍ତି
ବୃକ୍ଷ ହିଁ ଆମର ପ୍ରାଣ
ବୃକ୍ଷଟି ଲଗାଇ ବଞ୍ଚାଇ ରଖିବା
କରିବା ତା'ର ଯତନ  ।

ବନ୍ଧୁ ପରା ତୁମେ  ଦେବତୁଲ୍ଯ ଜନ
ମୁହିଁ ଅଟେ ହୀନଜନ
ବୃକ୍ଷ ବନ୍ଧୁ ତବ କରିବାକୁ ସେବା
ଇଚ୍ଛା ହୁଏ ମୋର ମନ  ।

ଆସ ଭାଇ ଗଣ ଲଗାଇବା ବୃକ୍ଷ
ସୃଷ୍ଟି କରିବା ଅରଣ୍ଯ
ଗଛ ଲଗାଇଣ ସୃଷ୍ଟି ବଞ୍ଚାଇଣ
ଜୀବନେ ଅର୍ଜିବା ପୂଣ୍ୟ  ।

ବୃକ୍ଷ ହିଁ ଜୀବନ ବୃକ୍ଷ ଅଟେ ଶ୍ରେଷ୍ଠ
ବୃକ୍ଷ ଅଟେ ଭଗବାନ
ବୃକ୍ଷକୁ ମାନିବା ବନ୍ଧୁ ବୋଲି ଆମେ
କରିବା ବୃକ୍ଷ ରୋପଣ  ।

ବେଦବ୍ଯାସ ମେହେର
ଗ୍ରାମ:-ଖଇରପାଲି
ଥାନା:-ପଦ୍ମପୁର
ଜିଲ୍ଲା:-ବରଗଡ
ମୋ:-9938339029

No comments: