:: ବୃକ୍ଷ ମୋର ବନ୍ଧୁ ::
""""""""""'''''''""""""''
ସ୍ୱାର୍ଥ ତ ନାହିଁ କାହିଁ ପାଇଁ ବନ୍ଧୁ
ଏମିତି କଷଣ ସହୁଛ
ଜନ ହିତପାଇଁ ନିଜ ଜୀବନକୁ
ସମର୍ପଣ କାହିଁ କରୁଛ ।।
ପିଲାଟି ଦିନରୁ ଦେଖିଛି ତୁମକୁ
ଫୁଲ ଫଳ ଛାଇ ଦେଉଛ
ରଜ ଦୋଳି ପାଇଁ ନିଜ ଶାଖା ମେଲି
ହସ ଖୁସି କେତେ ବାଣ୍ଟିଛ ।।
ଯାନୀ ଯାତରା କି ମେଳା ମଉଛବ
ସବୁରେ ତ ସାକ୍ଷୀ ରହିଛ
ସାଙ୍ଗଙ୍କ ମେଳରେ ଗଛ ଡିଆଁ ଖେଳେ
ଛାତିରେ କଷ୍ଟକୁ ଚାପିଛ ।।
ପୁଅ ବାହାଘର ଝିଅ ବିଦାୟର
ଆଖିର ଲୁହକୁ ଦେଖିଛ
ଶେଷକୃତ୍ୟ ପାଇଁ ନିଜ ଦେହ ହାଣି
ପରୋପକାରରେ ଲାଗିଛ ।।
ସବୁଜ ବନାନୀ ନଷ୍ଟ ହେଲାଣି
ଆତ୍ମୀୟ ସ୍ୱଜନ ଭୁଲିଛ
ରାଜ ରାସ୍ତାପାଇଁ ଅକାଳେ ବିୟୋଗ
ଗୁମୁରି ଗୁମୁରି କାନ୍ଦିଛ ।।
ଫୋଟୋ ଉଠା ପାଇଁ ଵୃକ୍ଷ ରୋପଣ
ତୁଚ୍ଛାରେ ଭାଷଣ ଶୁଣୁଛ
ଯେତେଦେଲେ ଫୁଲ ଫଳ ଅମ୍ଳଜାନ
ପ୍ରତିଦିନ ଲକ୍ଷେ କଟୁଛ ।।
ଭଗ୍ନ ହୃଦୟରେ ବିଳପୀ ବିଳପୀ
ମୁର୍ଖ ମଣିଷଙ୍କୁ କହୁଛ
ଯାହା ପାଇଁ ସୃଷ୍ଟି ଯାହା ପାଇଁ ବୃଷ୍ଟି
କେମିତି ତାହାକୁ କାଟୁଛ ।।
ପ୍ରକୃତି ବନ୍ଧୁର ପୁରସ୍କାର ପାଇଁ
ବିଶ୍ୱାସ ଘାତକଙ୍କୁ ଚିହ୍ନିଛ
ହୃଦୟରେ ନାହିଁ ପ୍ରକୃତିକୁ ପ୍ରେମ
ବନ୍ଧୁଦ୍ରୋହୀ ବୋଲି ଜାଣିଛ ।।
ତଥାପି କ୍ଷମାର ସାଗରଟେ ହୋଇ
ଜଗତ ହିତରେ ଲାଗିଛ
ମୋହ ମାୟା ତେଜି ଆବଶ୍ୟକ ବୁଝି
ବନ୍ଧୁର କର୍ତ୍ତବ୍ୟ କରୁଛ ।।
ତଳି ଠାରୁ ତିଳ ଆପଣା ଶ୍ରୀଅଙ୍ଗେ
ନାନା ଅତ୍ୟାଚାର ସହୁଛ
ଦେଉନାହଁ ଦୋଷ ପିଉଅଛ ବିଷ
ତଥାପି ଆଶିଷ ଦେଉଛ ।।
ସ୍ୱାର୍ଥ ସର୍ବସ୍ୱ ଦୁନିଆରେ ବନ୍ଧୁ
ତୁମେ ତ ଭିନ୍ନ ଲାଗୁଛ
ଜନମରୁ ମୃତ୍ୟୁ ତାପରେ ବି ତୁମେ
ଜଗତ ହିତରେ ଲାଗୁଛ
ବନ୍ଧୁ ନୁହେଁ ତୁମେ
ଆଦର୍ଶ ଆମର
ସାରା ଜଗତଠୁ ଶୁଣୁଛ
ସ୍ୱାର୍ଥ ତ ନାହିଁ କାହିଁ ପାଇଁ ବନ୍ଧୁ
ଏମିତି କଷଣ ସହୁଛ ।।
ପ୍ରଶାନ୍ତ କୁମାର ସେଠୀ
ପିରିପୁର, ଭଣ୍ଡାରିପୋଖରୀ, ଭଦ୍ରକ
ଦୁରଭାଷା: ୯୯୨୧୭୧୫୧୭୯
ଦିନାଙ୍କ: ୧୯/୦୭/୨୦୨୦
No comments:
Post a Comment