ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜପର୍ବ - ଅଜିତ କୁମାର ତ୍ରିପାଠୀ , ଗଞ୍ଜାମ

          ରଜ ପର୍ବ
          **********
ଅଜିତ କୁମାର ତ୍ରିପାଠୀ  (ଶିକ୍ଷକ)
************************
ଆଦ୍ୟ ଆଷାଢରେ  ଦେବ ସ୍ନାନପରେ  ରଜ ବିଜେ କରେ ମହୀ ।
ଆକାଶରେ ଘନ  କଲେ ଆଛାଦନ କେକୀ ନାଚେ ତାତା ଥେଇ  ॥
ଚାତକ ଆତୁରେ  ଜଳ ପାନ ଲୋଭେ  ଚାହିଁଛି ଚଞ୍ଚୁକୁ ଖୋଲି ।
କୃଷକ ବିଚାରା  ହଳ,ଲଙ୍ଗଳରେ  ଜମିକୁ ଚଷିବ ବୋଲି ॥୧॥

ଧରିତ୍ରୀକୁ ଦେଖ  ନୁଖୁରା ଶୁଖିଲା  ରୁକ୍ଷ,କର୍କଷ,ବନ୍ଧୁର ।
ମଉସୁମୀ ଏଣେ ଲୁଚକାଳି ଖେଳେ  ଗଗନ ମେଘ ମେଦୁର ॥
କଦବା କ୍ୱଚିତ  ଲଘୁଚାପ ନୃତ୍ୟ  ସାମାନ୍ୟ ଛିଞ୍ଚଇ ଜଳ ।
ରଜରେ ମଉଜ  ହୋଇ ସଜବାଜ  ନାରୀ ମାନେ ଦଳ-ଦଳ ॥୨॥

ପୋଡପିଠା,ଖଜା,  ଖିଲି ପାନ ମଜା  ମହ-ମହ ହୋଇ ବାସେ ।
ଦୋଳି,ଖେଳ,ଗୀତ  ପୋଷାକ ବିନ୍ୟାସ  ମାତନ୍ତି ହସ ଉଲ୍ଲାସେ ॥
ମାଟି; ମାଆ ପରି  ଗର୍ଭେ ଥାଏ ଧରି  ନାନା ଶସ୍ୟ,ଫଳ,ମୂଳ ।
ରଜସ୍ୱଳା  ପରେ  ବସୁଧା ସ୍ନାନରେ  ଧରି ଥାଏ ଧରା ତଳ ॥୩॥

ବର୍ଷା ଜଳ ଘେନି  ଉର୍ବର ଅବନୀ  କୃଷକ କରେ କର୍ଷଣ ।
ନୂତନ ଫସଲ  ଉତ୍ପାଦନ ପାଇଁ  ଆନନ୍ଦେ ହୁଏ ମଗନ ॥                     
ନାରୀ ଜାତି ମାନ  ଦିଅନ୍ତି ସମ୍ମାନ  ରଜ ପାଳି ତିନି ଦିନ ।
ପୃଥିବୀ ଜନନୀ  ଶୀତଳତା ଘେନି  ପରଷନ୍ତି ଖାଦ୍ୟ ମାନ ॥୪॥
*********************************
     
ଅଜିତ କୁମାର ତ୍ରିପାଠୀ(ଶିକ୍ଷକ) 

 କୁଲାଡ଼, ଭଞ୍ଜଭୂମି, ଭଞ୍ଜନଗର, ଗଞ୍ଜାମ

 ଭ୍ରାମ୍ୟଭାଷ - ୯୪୩୮୨୮୯୯୪୮

 କୋଡ଼ - ୭୬୧୧୩୧

          ***********************
    
       

No comments: