:: ମୋ ଜନ୍ମଭୂମି ::
କେତେ ଯେ ବନ ଉପବନ ଆଜି
ତୋହରି ଗରଭୁ ଜାତ
କେତେ ନଦୀ ନଦୀନ ପୁଣି
ତୋହରି ଅଙ୍ଗେ ଶୋଭିତ।
ଝରଣା ଧୋଉଛି ନିତି ତୋ ପୟର
ମଳୟ ଗାଉଛି ଗୀତ
ବନ ଗହନରେ ପୁଷ୍ପ ମାଳ ମାଳ
କରନ୍ତି ସୁସଜ୍ଜିତ।
ତୁ ଦେଖୁ ନାହୁଁ ଛୁଆଁ ଅଛୁଆଁ
ତୋ ପାଖେ ନାହିଁ କି ବଡ଼ ସାନ
ସଭିଙ୍କ ଜାଗା ତୋହରି କୋଳେ
ତୋ ପାଇଁ ଆମେ ସବୁ ସମାନ।
ଜନନୀ ପରି ପାଳୁ ସଭିଙ୍କୁ
ସଭିଙ୍କ ମୁହେଁ ଦେଉ ଆହାର
ସଭିଙ୍କ ଖୁସିରେ ହୋଇ ତୁ ଖୁସି
ତୁ ହିଁ ସହୁ ସଭିଙ୍କ ଭାର।
ଲଙ୍ଗଳ ମୁନେ ବକ୍ଷକୁ ଚିରି
ସଭିଙ୍କୁ ଦାନା ଦେଉ
ସଭିଙ୍କୁ ଦେଇ ସ୍ନେହ ଆଦର
ଅଳି ଅଝଟ ସହୁ।
ତୋହରି କୋଳୁ ଜୀବନ ଲଭି
ତୋହରି ସେଇ ବୀର ସନ୍ତାନ
ଶତ୍ରୁଙ୍କ ସଙ୍ଗେ କରି ସମର
ରଖିଛନ୍ତି ତୋହରି ମାନ।
ଜନନୀ ଠାରୁ ଜନମ ନେଇ
ପ୍ରଥମେ ପାଇଲି ସ୍ପର୍ଶ ତୋହର
ତତେ କି ଭୁଲେ ଜୀବନ ଆଜି
ଖୁସିରେ କରିବି ସେବା ତୋହର।
ତୋହରି କୋଳେ ବଢ଼ିଛି ମୁହିଁ
ତୋହରି ପାଇଁ ବିଜୟୀ ହେବି
ତୋ କୋଳରେ ମଥାକୁ ଦେଇ
ତୋହରି ପାଇଁ ଜୀବନ ଦେବି।
ଶର୍ମିଷ୍ଠା ସାହୁ
ହାଇଦ୍ରାବାଦ
ଆନ୍ଧ୍ରପ୍ରଦେଶ
No comments:
Post a Comment