** " ମୋ ଜନ୍ମଭୂମି " **
ଜନମ ନେଇ ମାଆ ଗର୍ଭରୁ,
ପଡିଲି କୋଳେ ଯାର ।
ସେ ମୋର ଦେଶ ସେ ମୋର ମାଟି,
ଜନମ ଭୁଇଁ ମୋର ।।୧।।
ଶିଖିଲି ଚାଲି କଥା କହିବା,
ପାଳିଲା ମାଆ ପରି ।
ତାହାରି କୋଳେ ହୋଇଲି ବଡ,
କେ ନୁହେଁ ତାର ସରି ।।୨।।
ତା ବିଲ ବଣ ପାଣି ପବନ,
ଚଷା ଭାଇର ଗୀତ ।
ହସି ଉଠଇ ଫସଲ ଢେଉ,
ସବୁଜ ଦିଶେ କ୍ଷେତ ।।୩।।
ତାହାରି କୋଳୁ ଦେଖିଛି ତାରା,
ଜହ୍ନମାମୁଁ କୁ ମୋର ।
ଆକାଶ ଲାଗେ ଏଇ ପାଖରେ,
ପାହାଡ ପଛେ ଘର ।।୪।।
ମୋ ଜନ୍ମଭୂମି ସବୁଠୁ ବଡ,
ନାହିିଁ କେ ତାର ପରି ।
ଯେଉଁଠି ଥିଲେ ଯୁଆଡେ ଗଲେ,
ହୁଏ ମୁଁ ତାକୁ ଝୁରି ।।୫।।
ସାଗର ଢେଉ ତା ପାଦ ଛୁଏଁ,
ଦିଏ ଚରଣ ଧୋଇ ।
ନାଉରୀ ବାହେ ନଉକା ତାର,
ସୁନ୍ଦର ଗୀତ ଗାଇ ।।୬।।
କେତେ ପୁନେଇ ପରବ ପରା,
ପାଳନ ହୁଏ ଏଠି ।
ସ୍ନେହ ପ୍ରେମର ଏ ଭାଇଚାରା,
ମିଳେନାହିଁ କେଉଁଠି ।।୭।।
ହଉ ସେ ଛାତ ଚାଳ ଛପର,
ମିଳଇ ଶାନ୍ତି କେତେ।
ତା ମିଠା ଭାଷା ମୋ ପ୍ରିୟ ଜାଗା,
ଟାଣି ରଖେ ସେ ମୋତେ ।।୮।।
ଜନମି କୋଳେ ରଖିବି ଟେକ,
ଆସୁ ମରଣ ଭୟ ।
ତା ପାଇଁ ଦେବି ଜୀବନ ମୋର,
ହୋଇବ ତାର ଜୟ ।।୯।।
କେତେ ଯେ ଜୀବ ତାର କୋଳରେ,
ଗଲେଣି ତ ଜନମି ।
ସଭିଙ୍କୁ ପାଳେ ଯତନ କରି,
ପ୍ରିୟ ମୋ ଜନ୍ମଭୂମି ।।୧୦।।
***
ପ୍ରତାପ ଚନ୍ଦ୍ର ପ୍ରଧାନ
ଆଳିପଡା,କଣାସ, ପୁରୀ, ୭୫୨୦୧୯
No comments:
Post a Comment