:: ମୋ ଜନ୍ମଭୂମି ::
=========
ଘନ ତମସାର ବୁକୁ ଚିରି ଦିନେ
କାନ୍ଦିଥିଲି କୁଆଁ କୁଆଁ,
ଜନନୀ ଜଠରୁ ଜନ୍ମଭୂମି ପରେ
ଜଳି ଥିଲା ଷଠୀ ନିଆଁ lll
ତା କୋଳରେ କେତେ ନାଚି କୁଦି ବୁଲି
ଖେଳିଛି ଆନନ୍ଦ ମନେ,
ମାଆ ପରା ସିଏ ସବୁ ସହି ବହି
ପର କରିନାହିଁ ଦିନେ lll
ଆହାର ବିହାର ନିବାସ ନିଳୟ
ତାହାରି ଦୟାର ଦାନ,
କେତେ ଯେ ଦେଇଛି ହିସାବ ରଖିନି
ତା ଦାନେ ହୋଇ ମହାନ lll
ଶାଗୁଆ କ୍ଷେତର ସମ୍ଭାର ସୃଜି
ଦିଏ ସର୍ବ ମୁଖେ ଅନ୍ନ,
ସମୀରଣେ ଅଙ୍ଗ ପରିତୋଷ ହୁଏ
ବାସ୍ନା ବିମୋହିତ ମନ lll
ପ୍ରତିଦାନେ କେବେ ମାଗେ ନାହିଁ ମୂଲ
ଦେଇ ଅମାପ ଦାନର
ଜନମ ମାଟି ମହାନ ମୋ ପାଇଁ
ହୃଦରେ କାଟିଛି ଗାର lll
କୋଟି ଜନମର କଳୁଷ କାଳିମା
ଏ ଜନମେ ହେଉ ଦୂର,
ପୁରି ଉଠୁ ତାର ବକ୍ଷ ଗହ୍ଵରେ
ଶିର ତନୁ ମାଂସ ହାଡ lll
ଆଶୁ ଆପଦରେ ବଳୀଦାନ ଦେବି
ନ ପାତିବି କେବେ ମଥା,
ତା ଦେହର ଧୂଳି ମଥାରେ ବୋଳିଛି
କରି ମୁଁ ବିଜୟ ଟୀକା lll
======@======
ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com
No comments:
Post a Comment