:: ମୋ ଜନ୍ମଭୂମି ::
ଉକୃଷ୍ଟ କଳାର ପ୍ରଦେଶ ପରା ତୁ
ସରଗ ଠୁ ବଳି ମହାନ
ଚଣ୍ଡାଶୋକ ପରା ଧର୍ମାଶୋକ ହେଲେ
କରି ତୋର ଜୟଗାନ।(୧)
ତୋହରି ସନ୍ତାନ ବୀର ଖାରବେଳ
କରିଥିଲେ ବିଶ୍ୱଜୟ
କପିଳେନ୍ଦ୍ର ଦେବ,ପୁରୁଷୋତ୍ତମ ଆଦି
କିଏ ବା କାହାଠୁ ହେୟ।(୨)
ତୋ ସନ୍ତାନଙ୍କ ବୀରତ୍ବର ଗାଥା
ବିଶ୍ୱେ ପରିବ୍ୟାପ୍ତ ଅଟେ
ଡିଣ୍ଡିମ ବଜାଇ ପୃଥିବୀ କମ୍ପାଇ
ତୋହରି ନାମକୁ ରଟେ।(୩)
ବାଳୁତ ବୀର ଧରମା ପରା
ଜାତି ପାଇଁ ପ୍ରାଣ ଦିଏ
ବାର ବର୍ଷୀୟ ବାଜିରାଉତ ଏଠି
ବ୍ରିଟିଶ ଗୁଳିରେ ଶୁଏ।(୪)
ଉପେନ୍ଦ୍ର ଭଞ୍ଜଙ୍କ ଅଛିକି ତୁଳନା
ଅଗାଧ ତାଙ୍କର ଜ୍ଞାନ
ରାଧାନାଥ ଗଙ୍ଗାଧର ପୁଣି ସାରଳା ଦାସ
କରନ୍ତି କୋଳ ମଣ୍ଡନ।(୫)
ଗୋପବନ୍ଧୁ, ମଧୁ,,ବିର୍ସା,ଦଳବେହେରା
ଅଛନ୍ତି ଜୟୀ ଓ ଲକ୍ଷ୍ମଣ
ରମାଦେବୀ,ଚନ୍ଦ୍ରଶେଖର ପୁଣି ସୁଭାଷ ବୋଷ
ଏମାନେ ତୋ ବୀର ସନ୍ତାନ।(୬)
ଗୌରବାବହ ଅତୀତ ତୋହର
ରତ୍ନଗର୍ଭା ପରା ତୁହି
ତୋ ସନ୍ତାନଙ୍କ ଖ୍ୟାତି ବିଶ୍ଵବିଦିତ
ପବିତ୍ର ତୋହର ଭୁଇଁ।(୭)
ଜଗତର ନାଥ ତୋହରି କୋଳରେ
ଆନନ୍ଦେ କରନ୍ତି ବାସ
କୋଣାର୍କର ଭଗ୍ନ କୀର୍ତ୍ତିରାଜି ସବୁ
ଆଜିବି ବିତରେ ବାସ।(୮)
ତୋହରି କୋଳରେ ଜନମ ଲଭିଛି
ଅତି ଭାଗ୍ୟ ଅଟେ ମୋର
ବରଦହସ୍ତ ମା ମୋ ଶିରେ ରଖିଥା
ଏତିକି ମାଗୁଣି ମୋର।(୯)
ନିର୍ମାଲ୍ୟ ପତି
ଠିକଣା-ନରହରିପୁର, ଯାଜପୁର
ଦୁରଭାଷ-୯୩୪୮୮୬୯୪୩୩
No comments:
Post a Comment