ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ରେଣୁକା ସାମଲ , ନବରଙ୍ଗପୁର

****** ମୋ ଜନ୍ମଭୂମି ******
ଦୂର ଦିଗବଳୟରୁ ବାରିହୁଏ ଯାହା
ସେହି ମୋର ପ୍ରିୟ ଜନ୍ମଭୂମି ଆହା
ତାର କଥା ହେଜି ଯାଉଛି ମୁଁ ହଜି
ଆନନ୍ଦ ଉଲ୍ଲାସେ ଯାଏ ମୁଁ ନିମଜି
ତା ବନ ଯୋଛ୍ଛନା ନଦୀ ଓ ଝରଣା
ଶିହରଇ ପ୍ରାଣ ହୁଏ ବାଟ ବଣା
ତା ଧୀର ପବନ ସେ ନୀଳ ଗଗନ
ଦିବସ ରଜନୀ ଆଖିଏ ସ୍ୱପନ
ନୀଳ ନଦୀ ବକ୍ଷେ ପାଣିର ଫୁଆର
ମନେ ସିନା ଆଣେ ଭୟ ଭୟଙ୍କର
ଦ୍ରୃଶ୍ୟ ରାଜି କିନ୍ତୁ ଲୋଭାଏ ମନକୁ
ଜନ୍ମଭୂମି ମୋତେ ପ୍ରେରିଛି ଦୂରକୁ
ଦୂରରେ ଥାଇ ମୁଁ ଭାବୁକ ସାଜିଛି
ତା ଛବି ମନରେ ନିଇତି ଆଙ୍କୁଛି
ଆମ୍ବ ତୋଟା ଗାଁ ତାଳ ବଣ କଥା
ପରବ ପର୍ବାଣୀ ପରମ୍ପରା ଗାଥା
ରହିଛି ସେଠାରେ ମୋ ଏନ୍ତୁଡ଼ିଶାଳ
ସେହିଠାରେ ପ୍ରଭୁ ବିତୁ ଶେଷ କାଳ
ଯେବେ ଗାଁ ଥିଲା ବିଜୁଳି ମୁରୁଛି
ସେବେ ପିଲାବେଳ ସୁଖରେ କଟିଛି
କାଦୁଅ ରାସ୍ତାରେ କଷ୍ଟ ଲାଗୁଥିଲା
(ତଥାପି କହିବି) 
ଜୀଇଁବାର ମଜା ଆମଠୁ ସରିଲା
ଆଜି ତା ପରବ ଭାରି ମନେପଡେ
ଦୂର ଦେଶେ ଥାଇ ବସି ମୁଣ୍ଡ କୋଡେ
ସାଇଭାଇଙ୍କର ସେନେହ ସରଧା
ରହିଗଲା ସବୁ ମୋର ପାଇଁ ଅଧା
ପାରୁନି ମୁଁ ମିଶି ମୋରି ଗାଁ ରେ
ନିଜର କେମିତି ହେବି ମୁଁ ସହରେ
ହାଲୋ ହାଏ ଖାଲି ରହିଛି ପାଟିରେ
ଭାବିଦେଲେ ତାହା ହୃଦ ମୋର ଚିରେ
ଚାଟଶାଳୀ କଥା ଭାରି ପଡେ ମନେ
ଗଢିଲେ  ମଣିଷ କେତେ ଅବଧାନେ
ନଥିଲା ସେବେଟି ସୁବିଧା ସୁଯୋଗ
ପଢ଼ିବାର ଲାଗି ବିଭିନ୍ନ ବିଭାଗ
ତଥାପି  ସ୍ମୃତିରେ ଗାଁ ମୋ ଜୀଇଁ ଛି
ତା କଥା ମନରୁ ନପାରେ ମୁରୁଛି
ଏବେ ସେ ଗାଁ ହୋଇଛି ସହର 
ଭାବିଲେ ସେ କଥା କାନ୍ଦଇ ଅନ୍ତର
ପାଇପିରେ ପାଣି ଘରେ ପଶୁଅଛି
ଗାଁ ର ଦାଣ୍ଡରେ ମଟର  ଛୁଟୁଛି
ସେହି ଗାଁ କଥା ପଡ଼ିଗଲେ ମନେ
ଆଜି ହଜି ଯାଏ ସ୍ମୃତିର  ସେ ବନେ


                    ରେଣୁକା ସାମଲ 
          ଅଧ୍ୟାପିକା   ପଞ୍ଚାୟତ ସମିତି
    କଲେଜ, ରାଇଘର, ନବରଙ୍ଗପୁର

No comments: