ରଜ ପର୍ବ
,,,,,,,,,,,,,,,,,,,,,
କଳା ଧଳା ପାଟ ସରଗ ମୁକୁଟ
ସଜ ମଉସୁମୀ ରଜ ପରବ,
ଅସରା ଅସରା ଶୁଭ ବାରିଧାରା
ମାଟି ମଧୁମତି ବାଣ୍ଟଇ ଭାବ।।
ଝୁଲି ଝୁଲି ଧୀରେ ଝାଉଁଳା ମାଟିରେ
ଟପ ଟାପ କରି ଚାଲୁଛି ବାଟ
ସବୁଜିମା ଧରା ମେଲାଇ ପସରା
କଁଅଳ ଶାଗୁଆ ରଙ୍ଗର ହାଟ।।
ବରଷା ରାଣୀର ଭିଜା ଓଢଣୀରେ
ଝରି ଝରି ଯାଏ ରଜ ମଉଜ,
ଶୀତଳ ସମୀର ଆଗମନ ଧୀର
ଆନନ୍ଦେ ଆସର ରଜ ରାଇଜ।।
ଲୁଚି ଲୁଚି ତାତି ହରାଇ ଶକତି
ରିମ ଝିମ ବରଷାର ଶବଦେ
କୃଷକ ପରବ ଯଶ ଗଉରବ
ଆଗତ ଚାଷକୁ ମନରେ ଫାନ୍ଦେ
କେତକୀ ଖଇର ଚୂନ ପାନ ଧାର
କଟାଗୁଆ ଅଳେଇଚ ଲବଙ୍ଗ,
ମହ ମହ ବାସେ ଓଠ ନାଲି ଦିଶେ
ଖାଇ ରଜ ପାନ ମନ ସରାଗ।।
ଅଳିତା ଚନ୍ଦନ ହଳଦୀ ଲେପନ
ବଉଳ ଫୁଲର ଗଜରା ଖୁସେ,
ଅନୂଢା କୁଆଁରୀ ସଜ ବାଜ ସାରି
ସାଙ୍ଗ ସାଥି ମେଳେ ହସ ପରସେ।।
ଢ଼ିଙ୍କି ଚୁନା କୁଟା ରଜ ପୋଡ଼ପିଠା
ଆରିସା, କାକରା, ଏଣ୍ଡୁରି, କ୍ଷୀରି,
ପିଠା ପିଠାଉର ଝଲକ ମଧୁର
ସାରା ରାଇଜରେ ପଡୁଛି ହୁରି।।
ନୂତନ ପୋଷାକ ଦିଶେ ଝକ ମକ
ହସୁଛି ପାଦରେ ନାଲି ଅଳତା,
କଁଅଳ ସକାଳ ଶୁଭ ଦୋଳି ଖେଳ
ପୁଚି ଲୁଚକାଳି କହୁଛି କଥା।।
ମଠେଇ ମଠେଇ କଳସ କାଖେଇ
ହସୁଛି ମୁରୁକି ମିଠା ଲାଜେଇ,
ରଜ ଗୀତ ଗାଇ ନିଜକୁ ସଜାଇ
ସହଚରି ମେଳେ ଦିଏ ହଜେଇ।।
ରଜସ୍ୱାଳ। ମହୀ ରହିଛି ଅନାଇ
କୃଷି ବିଲ ବାଡ଼ି ହୋଇଛି ସଜ,
ରଜ ପରମ୍ପରା ମଧୁ ଭାବଧାରା
ଆଦରେ ବନସ୍ତେ ଡାକୁଛି ଗଜ।।
ବଦଳି ଯାଉଛି ରଜର ପରବ
ହେଉଛି ସମୟ ଚଳ ଚଞ୍ଚଳ
ସମ୍ବାଦ ପତରେ ଟି,ଭି,ପରଦାରେ
ସଭିଏଁ ଖେଳନ୍ତି ଦୋଳିର ଖେଳ।।
ଜୟନ୍ତ କୁମାର ମହାନ୍ତି, ଶିକ୍ଷକ,
ପୀରହାଟ ଶାନ୍ତି ଶୈଳେନ୍ଦ୍ର ଉଚ୍ଚ ବିଦ୍ୟାଳୟ, ଚନ୍ଦ୍ରକାଟ ବିନ୍ଧା, ପୀର ହାଟ, ଭଦ୍ରକ
ମୋ ନଂ 9437544026






No comments:
Post a Comment