ରଜପର୍ବ
*******************
ପିଲା ବେଳେ ରଜପରବ ଆସୁ ଥିଲା
ଏମିତି ଏମିତି
*********************
ବାର୍ଷିକ ପରୀକ୍ଷା ସରିଲେ,
ରଜର ବାରତା ଆସେ,
ପରୀକ୍ଷା ଫଳ ଦିନ ଠାରୁ ,
ପ୍ରତୀକ୍ଷା ରେ ରଜ ପାଇଁ ଦିନ କଟେ।
ରଜ ଆସେ ,
ମାଟି ଘର ଲିପା ପୋଛା ଗୋବର ବାସନାରେ,
ଗାଁ ଧାନ କ୍ଷେତରେ ଧାନ ବିହନ ବୁଣା ସରିବା ପରେ।
ରଜ ଆସେ ,
ବାପା ଙ୍କ ମଜୁରି ଟଙ୍କା ର ନୂଆ ସାର୍ଟ ପ୍ୟାଣ୍ଟ ରେ,
ବଳକା ଟଙ୍କା ସାଇତା ରୁହେ ,
ରଜ ତିନିଦିନ ର ସୁଆଦିଆ ପିଠା, ମାଉସ ଖିଆ ପାଖରେ।
ରଜ ଆସେ ,
ଦାଣ୍ଡ ପିଣ୍ଡାରେ ଜେଜ ଙ୍କ ଦୋଳି ଖେଳ ରେ,
ଗାଁ ଶେଷ ମୁଣ୍ଡରେ ବାଉଁଶ ତିଆରି ଦୋଳି ମେଳରେ।
ରଜ ଆସେ,
ସଜବାଜ ର ଜିରା ଲଙ୍କା ଗୁଣ୍ଡ, ପୋଡ ପିଠା ଚାଉଳ ଚୁନା ରେ,
ଗାଁ ହାଟ ରକମ ରକମ ପରିବା ବୋଝରେ ,
ବାପା ଙ୍କ ଦୋକାନ ସଉଦା ବ୍ଯାଗ ଭିତରେ।
ରଜ ଆସେ ,
ଧୋବା ଭାଇ ର ଛେଳି କଟା ମାଉସ ବାଣ୍ଟରେ,
ଘରେ ଘରେ ପୋଡ ପିଠା, ମାଉସ ବାସନା ରେ।
ରଜ ଆସେ ,
ଝିଅ ପୁଅ ମଥାର ଚନ୍ଦନ ସିନ୍ଦୂର ଟିପାରେ,
ରଜ ଦୋଳି ଖେଳ ର ମନଛୁଆ ଗୀତ ସ୍ବରରେ।
ରଜ ଆସେ,
,ଚଷା ଭାଇ ମାଟି ମା କୁ ପୂଜା କରେ ବିନା ହଳ ଲଙ୍ଗଳ ରେ,
ଗାଁ ଝିଅ ମାଟି ମାଡେନା ବିନା ଚପଲରେ।
ରଜ ଆସେ ,
ଗାଁ ଦାଣ୍ଡ ର ମରଦ ପୁଅର କିତି କିତି ବାଗୁଡି ଖେଳରେ ,
ବାପା ମଉସା ଙ୍କ ଚାଷ ଖେଳର କଥାକଟାକଟିରେ।
ରଜ ଆସେ,
ବନ୍ଧୁ ବାନ୍ଧବ ବୁଲା ବୁଲି ରେ,
ସାଇ ପଡିଶା ଙ୍କ ଲବଙ୍ଗ ଲଗା ପାନ ଦିଆ ନିଆରେ।
ରଜ ଆସେ,
ଗାଁ ଭୁଇଁ ହସି ଉଠେ,
ଗାଁ ପୁଅ, ଝିଅ ,ବୋହୂ, ଖୁସି ବାଣ୍ଟେ,
ଗାଁ ଚାଷୀ ଭାଇ ଆନନ୍ଦ ଆଣେ ।
ରଜ ତିନିଦିନ ଆହା କି ଆନନ୍ଦ,
କହିଲେ ,ଲେଖିଲେ ସରିବନି,
ପିଲା ଦିନେ ରଜପରବ ଆସୁଥିଲା ଏମିତି ଏମିତି।
ସାରଦା ପ୍ରସାଦ ଆଚାର୍ଯ୍ୟ
ଯୋଡା -କେନ୍ଦୁଝର
ଭୁବନେଶ୍ବର -ଖୋର୍ଦ୍ଧା
୯୪୩୭୬୧୧୮୯୧
୧୪/୬/୨୦୨୦






No comments:
Post a Comment