" କେମିତି ପାଳିବି ଏ ସନ ରଜ"
;;;;;;;;;;;;;;;;;;;;;;;;;;;;;;;;;;;;;;;;;;;;;;;;;;;,;;;
ବିଚଳିତ ମନ ବ୍ୟଥିତ ହୃଦୟ
ଅସହ୍ୟ ବିଷମ ଲାଗେ ସମାଜ
ନାହିଁ ସଜବାଜ ମନରେ ସରାଗ
କେମିତି ପାଳିବି ଏ ସନ ରଜ। ।।
ଭାଙ୍ଗିଯାଏ ମନ ଭାଙ୍ଗିଛି ସପନ
ମୃତ୍ୟୁର ଡାକରା ଦୁଆରେ ଉଭା
ଫୁଟି ଝଡିଯାଉ ଜୁଇ ଜାଇ ମଲ୍ଲୀ
ପାରିବିନି ବାନ୍ଧି ମୋହରି ଗଭା ।।
ନେପଥ୍ୟ ଡାକରା ପାଇ ବିଶ୍ୱସାରା
କେତେଯେ ଜୀବନ ଗଲାଣି ଜଳି
ଫେରିଯା ମକର ମୋତେ କ୍ଷମା କର
ପାରିବିନି ଖେଳି ଏଥର ଦୋଳି ।।
କେତେ ଭାଇ ମୋର ଛାଡି ରୋଜଗାର
ବେସାହାରା ଆଜି ଶୁଖୁନି ଲୁହ
ଖାଇ ପୋଡ଼ପିଠା ରଜ ଖିଲିପାନ
ଖୁସିରେ କି ବୁଲି ପାରିବି କହ ? ।।
ପାଦେ ଚାଲିଚାଲି ଆସିଥିଲା ବାପ
ପୁଅକୁ ଭେଟିବ ଗାଁରେ ଯାଇ
ସରିଲାନି ବାଟ ମୃତ୍ୟୁ ସାଙ୍ଗେ ଭେଟ
ପୁଅଟି ରହିଲା ବାପ ଛେଉଣ୍ଡ ହୋଇ ।।
ବନସ୍ତେ ଏଥର ଗରଜିଲା ଗଜ
ଶିଶୁ ଶାବକର ମୁକତି ପାଇଁ
ମାନବତାହୀନ ସମାଜେ କେମିତି
ପାଳିବି କି ରଜ ଖୁସିରେ ମୁହିଁ? ।।
ଆ..ଲୋ ମକର ଗୁହାରୀ କରିବା
ପ୍ରଭୁଙ୍କ ପାଖରେ ସଭିଙ୍କ ପାଇଁ
ଦେବାଶିଷ ହେଲେ ନିମିଷକେ ମାତ୍ର
କରୋନାର କ୍ଳିଷ୍ଟ ଯିବ ପଳାଇ ।।
ହସି ହସାଇବା ଖୁସିବି ବାଣ୍ଟିବା
ପୋଡ଼ପିଠା ସାଙ୍ଗେ ଦୋଳି ଖେଳକୁ
ସଭିଙ୍କ ସାଥିରେ ରଜ ବି ପାଳିବା
ଦ୍ୱିଗୁଣ ଖୁସିରେ ଆର ସନକୁ ।।
ପ୍ରଶାନ୍ତ କୁମାର ସେଠୀ, ପିରିପୁର, ଭଦ୍ରକ-୭୫୬୧୧୨
ଦୁରଭାଷା: ୯୯୨୧୭୧୫୧୭୯
ଦିନାଙ୍କ: ୧୪/୦୬/୨୦୨୦






No comments:
Post a Comment