------ ରାକ୍ଷୀ -------
ବାର ମାସ ତେର ପରବ ଭିତରେ
ଶ୍ରାବଣରେ ରକ୍ଷାବନ୍ଧନ
ଭାଇର ହାତରେ ବାନ୍ଧଇ ଭଉଣୀ
ସ୍ନେହର ଅତୁଟ ବନ୍ଧନ।।
ଭାଇର କପାଳେ ଅକ୍ଷତ, ଚନ୍ଦନ,
କର୍ପୂର, ତିଳକ ଲଗେଇ
ମିଠା ଖୋଇଦେଇ ଅତୁଟ ବିଶ୍ବାସେ
ପବିତ୍ର ରାକ୍ଷୀ କୁ ବାନ୍ଧଇ।।
ଗହ୍ମା ପୂର୍ଣ୍ଣିମାରେ ବଳଦେବ ଜନ୍ମ
ନୂଆ ଆଶା ଆଉ ଭରସା
ଓଡ଼ିଆ ସଂସ୍କୃତି ଚାଷୀଙ୍କ ପରବ
ଚକୁଳି, କାକରା, ଆରିସା।।
ଶାନ୍ତି, ମୈତ୍ରୀ, ପ୍ରୀତି, ମଧୁର ବିଭୁତି
ପବିତ୍ର ଅମର ସଂସ୍କୃତି
ଇତିହାସ ସାଥେ ପୁରାଣ ବି ଗାଏ
ରାକ୍ଷୀ ରକ୍ଷାସୂତ୍ର କୀରତି।।
ପ୍ରାରବ୍ଧ ପ୍ରାପତେ ଭାଇ ଭଗ୍ନୀ ଦୁହେଁ
ଗୋଟିଏ ମାଆର ସନ୍ତାନ
ସୁଖରେ, ଦୁଃଖରେ, ସମ୍ପଦେ, ବିପଦେ
ଯୁଗଯୁଗ ପାଇଁ ବନ୍ଧନ।।
ଭାଇ ଭଉଣୀଙ୍କ ମିଠା କଳି ଗୋଳ
ସଭିଙ୍କ ଘରେ ତ ଲାଗଇ
ସେଇ ଭାଇ ପୁଣି ଭଉଣୀ ବିଦାରେ
ଝୁରିଝୁରି ଖାଲି କାନ୍ଦଇ।।
ଜଣଙ୍କ ଉପରେ ବିପଦ ଆସିଲେ
ଆନ ଆସିଥାଏ ଆଗେଇ
ଦୁହେଁ ଦୁହିଁଙ୍କର ସୁ-ଭାଗ୍ୟ ମାଗନ୍ତି
ବିଭୁ ପାଦେ କାନି ପତେଇ।।
ରଖିଥାନ୍ତୁ ବିଭୁ ଭାଇଙ୍କୁ ମୋହର
ଚିରକାଳ ଘଣ୍ଟଘୋଡେଇ
ରାକ୍ଷୀପୂର୍ଣ୍ଣମୀରେ ବିଭୁ ପାଦତଳେ
ଏତିକି ମାଗୁଣି ମାଗଇ।।
ଯେତେଦୂରେ ଯିଏ ଯେଉଁଠି ବି ଥିଲେ
ରାକ୍ଷୀପୂର୍ଣ୍ଣମୀର ଦିନରେ
ଭାଇ ଭଗ୍ନୀ ଦୁହେଁ ଦୁହିଁଙ୍କୁ ଝୁରନ୍ତି
ମମତାର ମଧୁ ସ୍ମୃତିରେ।।
ରାକ୍ଷୀ କେବେ ନୁହେଁ ମାମୁଲି ସୂତାଟେ
ରକ୍ଷାସୂତ୍ର ସିଏ ଅଟଇ
ଭଉଣୀର ମାନ ରଖିବାକୁ ସଦା
ପ୍ରତିଶ୍ରୁତିଟିଏ ମାଗଇ।।
--ଈଶ୍ୱରୀ ବେହେରା
ସୋର, ବାଲେଶ୍ବର ।
No comments:
Post a Comment