ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ପ୍ରଶାନ୍ତ କୁମାର ସେଠୀ , ଭଦ୍ରକ

   :: ମୋ ଜନ୍ମଭୂମି ::

ସରସ ସୁନ୍ଦର ଜନ୍ମଭୂମି ମୋର
             ଧରଣୀ ବକ୍ଷରେ ହୋଇଛି ଠିଆ
ସାଗର ବେଷ୍ଟିତ ବନ କାନନରେ
                 ନଦୀ କଳରବ କି ମନଛୁଆଁ      ।।

ସମ୍ପର୍କ ସୁନ୍ଦର ଭାଇଚାରା ତାର
             ଲଙ୍ଗଳ କାନ୍ଧରେ ଚଷାର ଗୀତ
ମୃଦ୍ୟୁ ମଳୟରେ ଦୋଳ ଫଗୁଣରେ
            ହୋଲି ଦୀପାବଳି ସହି ସଙ୍ଗାତ    ।।

ମନ୍ଦିର ମାଳିନୀ ଉତ୍କଳ ଜନନୀ
          ଚିଲିକା ଯାହାର ବଢାଏ ଶୋଭା
ସୁନ୍ଦର ମୂର୍ଚ୍ଛନା ଓଡିଶୀ ରାଗିଣୀ
         ନୃତ୍ୟାଙ୍ଗନା ଯେବେ ହୁଅଇ ଉଭା     ।।

ଚାଟଶାଳୀ ପାଠ ମାଟି ସିଲଟରେ
           ହାକିମ ଗଢ଼ିଛି ଯାହାକୁ ଯେତେ
ବନ୍ୟା ବାତ୍ୟା ଝଡ ଆସିବା ଆଗରୁ
           ବଞ୍ଚେଇ ରଖନ୍ତି ଜୀବନ କେତେ    ।।

ମହାନଦୀ ବନ୍ଧ ବିଶ୍ୱ ଗଉରବ
              ବିଦ୍ୟାଧରପୁର ପ୍ରସିଦ୍ଧ ଧାନ
ବିଜୁ ବାବୁ ହେଲେ ନୂତନ ସନ୍ଧାନ
        ବିଦେଶୁ ଫେରେଇ ଆଣି ଜୀବନ   ।।

ବୀର ପୁଅ ତାର କାନ୍ଧରେ ବନ୍ଧୁକ
            ହାତରେ ତ୍ରିରଙ୍ଗା ପତାକା ଧରି
ମୃତ୍ୟୁ ବଳୟରୁ ଫେରିଆସେ ଜିତି
             ଶତ୍ରୁ ରକତରେ ସ୍ଵାକ୍ଷର କରି    ।।

ଆଶ୍ଚର୍ଯ୍ୟ ଚକିତ କରିଦେଇ ବିଶ୍ୱ
          ଗଢ଼େଇ ଦେଇଛି ସେ କୋଣରକ
ଭୁଲିପାରି ନାହିଁ କଳିଙ୍ଗ ଯୁଦ୍ଧ କି
             କଳାପାହାଡ଼ର ସେ ଉତପାତ  ।।

ଭୁଲିବ କେମିତି ମଧୁ ଗୋପବନ୍ଧୁ
           ଗୋଦାବରୀଶଙ୍କ ଗାଥା କବିତା
କଲମେ ମଲମେ ସାଜିଥିଲେ ଯିଏ
            ଉତ୍କଳ ଦୁଃଖିଙ୍କ ଜୀବନ ସଖା   ।।

ଆଜିର ଯୁବକ ହେଲେଣି ବିଭ୍ରାନ୍ତ
            ଉତ୍କଳ ମାଆର ଝରଇ ଲୁହ
ଇଂରାଜୀ ଦ୍ଵି'ପଦ ଶିଖିଗଲା ପରେ
          କୁହନ୍ତି ସେ ଆଉ କାହାରି ନୁହଁ   ।।

ନିଷ୍ଠୁର ବର୍ବର କ୍ରୁର ଅତ୍ୟାଚାର
          ନିରୀହ ବେକରେ ଦିଅନ୍ତି ଛୁରି
କଳା ରାଜନୀତି ଶାସନେ ଦୁର୍ନୀତି
             ଜନ୍ମଭୂମି ନାଁ ଭୁଲି ଗଲେଣି   ।।

କିଛି ଅବିବେକି ଭିଟାମାଟି ବିକି
             ବିଦେଶକୁ ପରା ଯାଆନ୍ତି ଉଡି
ବାପା ମାଆ ପଛେ ରୋଗରେ ସଢନ୍ତୁ
         ସଫଳତା ତାଙ୍କ ଜୀବନ ସୀଢୀ  ।।

ଛାଡି ମାତୃଭାଷା ପାଇଲେ କୁଶିକ୍ଷା
         କଳା ସଂସ୍କୃତିକୁ ପାସୋରି ଦେଇ
ନିଜ ଯଶ କୀର୍ତି ଯେତେ ବଖାଣିଲେ
         ଗ୍ରାମ ସୁକୁରୀକି ହୋଇବ ଗାଈ   ।।

ହେଲେ ତୋ କରୁଣା କରିବୁନି ଉଣା
               ଫୁଲକି ଫଳର ଗଛର ଛାଇ
ଅନ୍ୟ ରାଜ୍ୟ ଲୋକ କି ଦଶା ଭୋଗନ୍ତି
           ଶୋଷରେ ମରନ୍ତି ପାଣି ନପାଇ  ।।

କ୍ଷମା କରିଦେବୁ ଅପରାଧ ଆମ
       ଧରିବୁନି ଜମା  ଦୋଷ ଆମରି
ବିଶାଳ ହୃଦୟ ସରଗଠୁ ବଳି
            ଜନ୍ମଭୂମି ତୁ ମାଆ ଆମରି
     ଏତିକି ଆମର ରହୁ ଗୁହାରି     ।।

ପ୍ରଶାନ୍ତ କୁମାର ସେଠୀ,
ପିରିପୁର, ଭଣ୍ଡାରିପୋଖରୀ, ଭଦ୍ରକ
ଦୁରଭାଷା: ୯୯୨୧୭୧୫୧୭୯
ଦିନାଙ୍କ: ୧୨/୦୭/୨୦୨୦

No comments: