* କୃଷକ *
ନିତି କୃଷିକାର୍ଯ୍ଯ କରଇ କୃଷକ
ଜଗତ ଜନଙ୍କ ପାଇଁ
ପ୍ରତିଦାନେ ତା'ର ପେଟ ପୂରେ ନାହିଁ
ଉପାସରେ ଯାଏ ଶୋଇ।
ଖରା ବର୍ଷା ଶୀତ ଖାତିର ନ କରି
କ୍ଷେତରେ ଖଟେ କୃଷକ
ନାନା ଜାତି ଶସ୍ଯ କରେ ଉତ୍ପାଦନ
ସିଏ ପ୍ରକୃତ ପାଳକ ।
ଆଖିରେ ତାହାର ଆଖିଏ ସପନ
କରିବ ନୂଆ ଫସଲ
ଏସନ ତାହାର ଦୁ:ଖ ହେବ ଦୂର
ଶସ୍ଯ ହୋଇଲେ ଅମଳ ।
ନାନା ଜାତି ଶସ୍ଯେ କ୍ଷେତ ତା'ର ହସେ
ମନ ହୁଏ ପୁଲକିତ
ଠିକଣା ସମୟେ ମଉସୁମି ହଜେ
ଶସ୍ଯ ହୁଏ କ୍ଷତିଗ୍ରସ୍ତ ।
କେତେ ପରକାର ଋଣ ଆଣି ସିଏ
କ୍ଷେତକୁ ଉଠିଆ କରେ
କେତେବେଳେ ପୁଣି ରୋଗ ପୋକ ଲାଗି
ଫସଲକୁ ନଷ୍ଟ କରେ ।
ମଞ୍ଜି ଭେଜାଲକୁ ସାର ବି ଭେଜାଲ
ଭେଜାଲ କୀଟନାଶକ
ଚାଷକାମ କରି ସବୁଯାଏ ସରି
ଋଣଗ୍ରସ୍ତ ଯେ କୃଷକ ।
ଋଣ ପରେ ଋଣ କରି କୃଷକର
ମେରୁଦଣ୍ଡ ଭାଙ୍ଗିଯାଏ
ଋଣର ବୋଝକୁ ସହି ନ ପାରିଲେ
ଆତ୍ମହତ୍ଯା କରିଥାଏ ।
କୃଷି ଓ କୃଷକ ଉନ୍ନତି ପାଇଁ କି
ଯୋଜନା ଅଭାବ ନାହିଁ
ନେତା ଅଧିକାରୀ ସଦିଚ୍ଛା ଅଭାବୁ
ଦୁ:ଖ ତା'ର ଘୁଞ୍ଚୁନାହିଁ ।
କୃଷକକୁ ନେଇ ଚାଲେ ରାଜନୀତି
ବିପର୍ଯ୍ଯସ୍ତ କୃଷିନୀତି
କୃଷକ ବାପୁଡ଼ା ଅଭାବେ ମରୁଛି
ଏ କି ବିପରୀତ ରୀତି ।
ଆସ ଭାଇ ବନ୍ଧୁ ଆସ ଦେଶବାସୀ
ବଢ଼ାଅ ସଭିଏଁ ହାତ
ଆମ ସହଯୋଗ ପାଇ ଚାଷୀ ଭାଇ
ନିଇତି ଯୋଗାଉ ଭାତ ।
****************************
ଶିବ ପ୍ରସାଦ ହାତୀ
ବିଜାଢୋଲ,ବରଗଡ଼
No comments:
Post a Comment