ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - କେଶବ ଚନ୍ଦ୍ର ନାୟକ , ମାଲକାନଗିରି

        * ରାକ୍ଷୀ *
........................................
ବରଷକେ ଥରେ ରାକ୍ଷୀ ପୂନେଇଲୋ
ଭାଇ ମୋ ଗାଁରେ ନାହିଁ....
ପର ରାଇଜରେ ଭାଇ ଯେ ଦାଦନ
ଖଟୁଛି ସେ ପେଟ ପାଇଁ....!
ପାଠ ସାଠ ପଢି ହେଲା ସେ ବେକାର
ସୁରାଟକୁ ଭାଇ ଗଲା
ଓଡିଶାରେ କାମ ଧାମ ନାହିଁ ବୋଲି
ଗାଁ ଛାଡି ପର ହେଲା..!
ଭାଇ ସ୍ନେହ ମତେ ମିଳିଲା ନାହିଁଟି
ବିପଦେ ଆପଦେ ସାହା
ବୁଢା ବାପା ଏବେ ଖଟି ପାରୁ ନାହିଁ
ରୋଗ ଖାଇଲାଣି ଯାହା...!
ମାଆଟା ମୋର ଧୟାଁ କାଶରେ
ନିତି ଛଟ ପଟ ହୁଏ
ଓଷଟିକ ପାଇଁ ପଇସା ଅଭାବ
ମରି ମରି ସିଏ ଜୀଏଁ...!
ବିଲ ବାଡି ଖଣ୍ଡେ ପଡିଆ ପଡିଛି
ଚାଷ ବାସ ସବୁ ଗଲା
ମୂଲିଆ ଅଭାବେ ଧାନ ଫସଲଟା
ଏ ସନ ଆଉ ନହେଲା.. !
ନଡା ଛପର ଘରଟା ଗଳୁଛି
ବରଷା ମାରୁଛି ଝାଇଁ...
ଖଣ୍ଡେ ପିନ୍ଧି ଦଣ୍ଡେ ବଞ୍ଚିବା ପାଇଁଟି
ପାଖରେ ସମ୍ବଳ ନାଇଁ...!
ଭାଇ ଯାଇ ଅଛି ଦୂର ବିଦେଶକୁ
ପିନ୍ଧିବ କେ ରାକ୍ଷୀ ମୋର
ଭାଇ କଥା ଭାଳି ଆଖିରୁ ନିଗାଡେ
ଅବିଶ୍ରାନ୍ତ ଲୁହ ଧାର... !
ଗରିବ ଜନମ ଏଡେ ହୀନିମାନ
ଗରିବ କେବଳ ଜାଣେ...
ରାକ୍ଷୀ ପୂନେଇ ମୋ ଅଧୁରା ରହିଲା
ମୋ ଦୁଃଖ ଜଗା ନଶୁଣେ...!
ଜଗାକୁ ବାନ୍ଧୁଛି ରାକ୍ଷୀ ଖଣ୍ଡେ ଆଣି
ସେହି ମୋର ବଡ ଭାଇ
ସାହା ହେଉଥିବୁ କାଳିଆ ସୁନାରେ
ଭଲରେ ଥିବ ମୋ ଭାଇ.... !
ମୋ ଭାଇକୁ ସଦା ଚକ୍ର ଆଢୁଆଳେ
ଘଣ୍ଟ ଘୋଡାଇ ରଖିବୁ....
ତୋ ପାଦେ ଶରଣ ପଶୁଛି କାଳିଆ
ବିନତି ମୋ ଘେନୁଥିବୁ...!
ଯେତେ ଦୂରେ ଭାଇ ଥିଲେ ଥାଉ ପଛେ
ମୋ ଅନ୍ତରେ ସ୍ନେହ ଥିବ...
ମୋ ଭାଇକୁ ଜଗା କଲ୍ଯାଣ କରି
କୋଟିଏ ଆୟୂଷ ଦେବ...!


କବି କେଶବ ଚନ୍ଦ୍ର ନାୟକ
(ସଭାପତି,ଉତ୍କଳ ସାହିତ୍ଯସଂସଦ,ମାଲକାନଗିରି)
ମୋନଂ :୯୪୩୭୭୭୯୪୪୭

୧୧୯କଲୋନୀ,ପୋ:ଡିଏନକେ,ମାଲକାନଗିରି
ଜିଲ୍ଲା:ମାଲକାନଗିରି

No comments: