--- ରାକ୍ଷୀ ----
ସ୍ନେହ ଆଦରର ମମତାର ଫୁଲ
ଝରା ଶ୍ରାବଣରେ ଗୁନ୍ଥି
କୁନି ଭଉଣୀଟି ତା' ଭାଇ ହାତରେ
ବାନ୍ଧି ଦେଉଥାଏ ରାକ୍ଷୀ ।।
ରାକ୍ଷୀ ନୁହେଁ ଇଏ ପବିତ୍ର ସମ୍ପର୍କ
ସାକ୍ଷୀ ଯୁଗ ଯୁଗ ପାଇଁ
ବିଶ୍ୱାସ ଭରସା ଆସ୍ଥା ପ୍ରକଟର
ଭଉଣୀର ସୁନା ଭାଇ ।।
ଭାଇ ହେବ ତା'ର ଜଗତ ଜିତାଲୋ
ଭଉଣୀ ଟେକିବ ମଥା
ରାକ୍ଷୀ ବାନ୍ଧି କୁନି ଭଉଣୀ ଚାହିଁଛି
ଭାଇ ତା ଦେଉଛି କଥା ।।
କଥା ଦେଉଛି ମୁଁ ସୁନା ଭଉଣୀ ଲୋ
ଦେଖିବିନି ତୋର ଲୁହ
ଦୁନିଆରେ ଯେତେ ଆସିଲେବି ଦୁଃଖ
ଆଗ ଦେଖିବ ମୋ ମୁହଁ ।।
ମୁହଁରେ ତୋହର ଫୁଟେଇବି ହସ
କରି ମୋ ରକତ ପାଣି
ତୁ ଯଦି ଚାହିଁବୁ ଆକାଶରୁ ଚାନ୍ଦ
ଦେବି ତୋତେ ତୋଳିଆଣି ।।
ସୁରକ୍ଷା ତୋହର କରିବି ଭଉଣୀ
ସାକ୍ଷୀ ଆମ ଏଇ ରାକ୍ଷୀ
ବଡଘର ଦେଖି ବାହା ଦେବି ତୋତେ
ଖୋସି ହୋଇଯିବ ଆଖି ।।
ରାକ୍ଷୀ ଛୁଇଁ ତୋତେ ଦେଉଛି ମୁଁ କଥା
ନାରୀଙ୍କୁ ସମ୍ମାନ ଦେବି
ତାଙ୍କରି ଭିତରେ ତୋ ମୁହଁ ଦେଖିବି
ଲୁହ ତାଙ୍କ ପୋଛି ଦେବି ।।
ଆକୁଳେ ବ୍ୟାକୁଳେ ଅସହାୟ ନାରୀ
ଯେଉଁଠି ଦେଖିବି ମୁହିଁ
ଦୁଷ୍କର୍ମ ପୂର୍ବରୁ ସିଂହବଳ ନେଇ
ରକ୍ଷା କରିବ ତୋ ଭାଇ ।।
ରାକ୍ଷୀ ବାନ୍ଧିଦେଇ ଦେଇଛୁ ଚେତେଇ
ଭାଇକୁ କର୍ତ୍ତବ୍ୟ ତା'ର
ଝଡ ଝଞ୍ଜା ଯେତେ ଆସିଲେ ଜୀବନେ
ପଛଘୁଞ୍ଚା ନାହିଁ ମୋର
ପଛଘୁଞ୍ଚା ନାହିଁ ମୋର ।।
ପ୍ରଶାନ୍ତ କୁମାର ସେଠୀ
ପିରିପୁର, ଭଣ୍ଡାରିପୋଖରୀ, ଭଦ୍ରକ
ଦୁରଭାଷା: ୯୯୨୧୭୧୫୧୭୯
ଦିନାଙ୍କ: 0୨/୦୮/୨୦୨୦
No comments:
Post a Comment