ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ବେଦବ୍ଯାସ ମେହେର , ବରଗଡ଼

        ---------- ରାକ୍ଷୀ ----------

ଶ୍ରାବଣ ମାସର       ପୂର୍ଣ୍ଣମୀ ତିଥିରେ
         ଆସଇ ରାକ୍ଷୀ ବନ୍ଧନ
ଭାଇ ଭଉଣୀର        ସ୍ନେହର ସମ୍ପର୍କ
          ରହିଅଛି ଏହି ଦିନ  ।

ଭାଇର ମଥାରେ       ଭଉଣୀ ଦିଅଇ
            ଅକ୍ଷତ ତିଳକ ଚିହ୍ନ
ଭାଇର ହାତରେ     ରାକ୍ଷୀଟି ବାନ୍ଧିଣ
          ଖୁଆଇଥାଏ ମିଷ୍ଟାନ୍ନ  ।

ତୁଳାର ରାକ୍ଷୀଟେ     ନୁହଁଇ ସାମାନ୍ୟ
           ଏତ ସ୍ନେହର ବନ୍ଧନ
ଭାଇ ହାତେ ବାନ୍ଧି      ଭଉଣୀ ମାଗଇ
        'ରଖିବୁ ମୋହର ମାନ'  ।

ପୁରାଣ ପୃଷ୍ଠାରୁ       ଆରମ୍ଭ ହୋଇଛି
          ରାକ୍ଷୀ ବନ୍ଧନର କଥା
ଲକ୍ଷ୍ମୀ ବଳିଙ୍କଠୁ        ଚଳି ଆସୁଅଛି
       ଯୁଗେ ଯୁଗେ ଏହି ପ୍ରଥା  ।

ଅତିଦାନୀ ବୋଲି    ଦାନ ଦେଉଥିଲା
           ରାକ୍ଷସ ରାଜନ ବଳି
ତିନି ପାଦ ଭୂମି      ପ୍ରଭୁଯେ ମାଗିଲେ
         ପାତାଳକୁ ଦେଲେ ଠେଲି  ।

ଦାନ ଦେଇ ପୁଣି     ବଳିଯେ ହୋଇଲା
          ପାତାଳର ଅଧିପତି
ଦ୍ବାରରେ ତାହାର     ଦ୍ବାରପାଳ ହେଲେ
      ନିଜେ ପ୍ରଭୁ ଲକ୍ଷ୍ମୀ ପତି  ।

ଭାଇ ବୋଲି ଲକ୍ଷ୍ମୀ     ବଳିଙ୍କ ହାତରେ
        ରାକ୍ଷୀଟିଏ ବାନ୍ଧି ଦେଲେ
ପ୍ରତି ବଦଳରେ       ନିଜର ସ୍ବାମୀଙ୍କୁ
        ବଳି ଠାରୁ ମାଗିନେଲେ  ।

ଭାଇ ଭଉଣୀର       ସ୍ନେହର ସମ୍ପର୍କ
          ରହିଗଲା ଏହି ଦିନ
ସେହିଦିନ ଠାରୁ       ଆଜି ଯାଏ ଅଛି
         ପବିତ୍ର ରକ୍ଷା ବନ୍ଧନ  ।

ମହାଭାରତରେ       ବର୍ଣ୍ଣିତ ହୋଇଛି
         ରାକ୍ଷୀ ବନ୍ଧନର ଗାଥା
କୃଷ୍ଣଙ୍କ ହାତରେ     ଦ୍ରୌପଦୀ ବାନ୍ଧିଲେ
         ରହିଅଛି ଏହି କଥା  ।

ଦ୍ରୌପଦୀ ନିଜର      ପାଟ ବସ୍ତ୍ର ଚିରି
         କୃଷ୍ଣ ହାତେ ବାନ୍ଧି ଦେଲେ
ଦ୍ରୌପଦୀଙ୍କ ମାନ      ରଖିବା ପାଇଁକି
         କୃଷ୍ଣ କଥା ଦେଇଥିଲେ  ।

କୁରୁସଭା ତଳେ     ହେଉଥିଲା ଯେବେ
        ଦ୍ରୌପଦୀ ବସ୍ତ୍ର ହରଣ
କୋଟି ବସ୍ତ୍ର ଦେଇ     ଶ୍ରୀକୃଷ୍ଣ ରଖିଲେ
         ଦ୍ରୌପଦୀଙ୍କର ସମ୍ମାନ  ।

ଇତିହାସେ ଅଛି       ଚିତ୍ତୋର ଗଡର
          ମହାରାଣୀ କର୍ମାବତୀ
ମୋଗଲ ଶାସକ      ହୂମାୟୁନ୍ ହାତେ
         ବାନ୍ଧିଥିଲେ ରାକ୍ଷୀ ଗୋଟି  ।

ତାହା ବଦଳରେ     ମୋଗଲ ଶାସକ
         ଦେଇଥିଲେ କଥା ତାଙ୍କୁ
ଶତ୍ରୁ କବଳରୁ        ଚିତ୍ତୋର ଗଡକୁ
         ନିଜେ ରକ୍ଷା କରିବାକୁ  ।

କିମ୍ବଦନ୍ତୀ କହେ       ପାଟପୁର ଗାଁର
        ମାଳତୀ ନାମେ ଝିଅଟେ
ସେଇ କୁନି ଝିଅ     ରାକ୍ଷୀ ବାନ୍ଧି ଥିଲା
         ଶ୍ରୀ ଜଗନ୍ନାଥଙ୍କ ହାତେ  ।

ଗଜପତି ରାଜା        ପାଟପୁର ଗାଁକୁ
         ରଖିଲେ ମାଳତୀର ନାଁ
ସେହିଦିନ ଠାରୁ      ନାମିତ ହୋଇଲା
        'ମାଳତୀ ପାଟପୁର' ଗାଁ  ।

ଭାଇ ଭଉଣୀର        ପବିତ୍ର ସମ୍ପର୍କ
      ଛୋଟ ଏକ ତୂଳା  ରାକ୍ଷୀ
ଦୁଇ ହୃଦୟର        ସ୍ନେହ ମମତାର
      ଯୁଗେ ଯୁଗେ ଅଛି ସାକ୍ଷୀ  ।

ବେଦବ୍ଯାସ ମେହେର
ଗ୍ରାମ:-ଖଇରପାଲି
ଥାନା:-ପଦ୍ମପୁର
ଜିଲ୍ଲା:-ବରଗଡ଼
ମୋ:-୯୯୩୮୩୩୯୦୨୯

No comments: