କୃଷକ
(ଘୋଡ଼ା ନାଚ ଗୀତ ସ୍ବରରେ)
ଝିପିଝିପି ମେଘ ବରଷା ହୁଅଇ
କେଶୁର ମାରଇ ଗଜା,
ଧନମଣି କେଶୁର ମାରଇ ଗଜା ।
ହଳଲଙ୍ଗଳକୁ ଯୋତି କରି ଧନ
କ୍ଷେତକୁ ଯାଉଛି ଚଷା ।୧।
ବରଷର ସେହି ପହିଲି ବରଷା
ଆଣେ ମୋ ମନେ ସହସା,
ଧନମଣି ଆଣେ ମୋ ମନେ ସହସା ।
ଅଣ୍ଟାରେ ମୋହର ଗାମୁଛାକୁ ବାନ୍ଧି
କରେ ମୁଁ ନାନା ବେଉସା ।୨।
ହଳଲଙ୍ଗଳକୁ ତିଆର କରଇ
କରେ ମୁଁ ଜମିକୁ ସଜ,
ଧନମଣି କରେ ମୁଁ ଜମିକୁ ସଜ ।
ବୈଶାଖ ତୃତୀୟା ମୁଠି ଅନୁକୂଳ
ସେଥିପାଇଁ ସଜବାଜ ।୩।
ଆସି ଯାଇଅଛି ଅକ୍ଷୟ ତୃତୀୟା
ମୁଠି ଅନୁକୂଳ ଦିନ,
ଧନମଣି ମୁଠି ଅନୁକୂଳ ଦିନ ।
ମୁଠିଭରି ଧାନ କରି ଅନୁକୂଳ
ଦେଖେ ମୁଁ ସୁନା ସପନ ।୪।
ଖରା ବର୍ଷାକୁ ଖାତିରି ନକରି
ମୁଣ୍ଡଝାଳ ତୁଣ୍ଡେ ମାରି,
ଧନମଣି ମୁଣ୍ଡଝାଳ ତୁଣ୍ଡେ ମାରି ।
ବରଷ ଯାକର କ୍ଷେତରେ ମୋହର
ସୁନା ଫସଲ ଦିଏ ମୁଁ ଭରି ।୫।
ଆସି ଯାଇଥାଏ ବରଷାର ଋତୁ
ପାଣି କାଦୁଅର ଦିନ,
ଧନମଣି ପାଣି କାଦୁଅର ଦିନ ।
ଘରଣୀ ସାଥିରେ ରୁଆମରା କରି
କଟେ ମୋ ବରଷା ଦିନ ।୬।
ଧାନ ମୁଗ ବିରି କୋଳଥ ମାଣ୍ଡିଆ
ଆଳୁ କୋବି ବାଇଗଣ,
ଧନମଣି ଆଳୁ କୋବି ବାଇଗଣ ।
ଯେଉଁ ଋତୁ ନେଇ ସେଇ ଫସଲକୁ
ଉପୁଯାଉ ଥାଏ ଜାଣ ।୭।
ଇଷ୍ଟଦେବୀ ମୋ ମାଆ ସମଲେଇ
ତାଙ୍କରି କରୁଣା ଜାଣ,
ଧନମଣି ତାଙ୍କରି କରୁଣା ଜାଣ
ନୂଆଁ ଫସଲକୁ ଲଗାଇ ତାଙ୍କଠି
ନୂଆଁ ଖାଏ ନୂଆଁ ଧାନ ।୮।
ଏ ସାରା ଦୁନିଆଁ ଘରଯେ ମୋହର
ସଭିଏଁ ମୋ ପରିବାର,
ଧନମଣି ସଭିଏଁ ମୋ ପରିବାର ।
ନକରି କାହାକୁ ବାଛବିଚାର ମୁଁ
ସୁଖରେ ଦିଏ ଆହାର ।୯।
ପାଣି କାଦୁଅର ମଣିଷ ମୁଁ ଅଟେ
ନଥାଏ କେବେ ମୋ ଛୁଟି,
ଧନମଣି ନଥାଏ କେବେ ମୋ ଛୁଟି ।
କର୍ମକୁ ମୋହର ଅଳସ ନମଣୀ
ଜୀବନକୁ ଦିଏ କାଟି ।୧୦।
ଗରବ ଲଭିଅଛି ଓଡ଼ିଶା ରାଇଜେ
କୃଷକ ଟିଏ ମୁଁ ହୋଇ,
ଧନମଣି କୃଷକ ଟିଏ ମୁଁ ହୋଇ ।
ସୁରକ୍ଷା ଯୋଗାଏ ସୈନିକ ଭାଇ
ଖାଦ୍ୟ ଯୋଗାଉଛି ମୁହିଁ ।୧୧।
ରଞ୍ଜନ ନାଏକ
ଜଗନ୍ନାଥ ପ୍ରସାଦ, ନାକଟିଦେଉଳ
ରେଢ଼ାଖୋଲ,ସମ୍ବଲପୁର
ମୋ-୮୧୧୪୯୯୮୩୧୧

No comments:
Post a Comment