ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - -ଶିବ ଶଙ୍କର ସାହୁ , ଖୋର୍ଦ୍ଧା


    ::: ସମ୍ପର୍କ :::
        ------- 

କୋଉ ଅଦୃଶ୍ୟ ଦେବତା
ମୋତେ ଥୋଇ ଜନନୀ ଗର୍ଭରେ
ରଚିଲା ସମ୍ପର୍କ ଅସରନ୍ତି ଭଲପାଇବାର ।
ପ୍ରଥମ କୁଆଁ କୁଆଁ ରାଵରୁ
ଆରମ୍ଭ ସେ ସମ୍ପର୍କ
ବୀଜରୁ ମହାଦ୍ରୁମ ଏବେ
ଘରର ଏରୁଣ୍ଡି ଡେଇଁ
ସାହି, ଗାଁ , ସମାଜ ଓ ସାଙ୍ଗସାଥି ଗହଣରେ !

ଠିକ ଭାବେ ବୁଝିବା ବେଳକୁ
ସମ୍ପର୍କ ସବୁଆତଯାତ
ମା' , ବାପା , ଭାଇ ଭଉଣୀ
ସ୍ତ୍ରୀ, ପ୍ରେମିକା
ରାଜାପ୍ରଜା, ନେତା ଭୋଟର
ମାଲିକ , ଶ୍ରମିକ
ଅଫିସର, କର୍ମଚାରୀ
ଆହୁରି କେତେ କେତେ
ଅସରନ୍ତି ଶ୍ରେଣୀ ଓ ବିଭାଗରେ ।

ପ୍ରକାର ପ୍ରକାର ସମ୍ପର୍କ
ନିର୍ଭର କରେ ପାଳିବା ଓ  ପୋଷିବାରେ
ସାମୟିକ , କ୍ଷଣସ୍ଥାୟୀ, ଆଜନ୍ମ ଓ ଜନ୍ମଜନ୍ମାନ୍ତର
ବଢିଚାଲେ କି  ଛିଣ୍ଡିଯାଏ ।
କେତେ ରୂପ ରଙ୍ଗରେ ସଜେଇ ହୁଏ ସମ୍ପର୍କ
କେବେ ମାନ ଅଭିମାନରେ
ତ କେବେ ଇର୍ଷାରେ ଆଉ କେବେ
ପଦ ପଦବୀର ଅହଂକାରରେ।

ସମ୍ପର୍କ କି ବଞ୍ଚେ ଶପଥ ପାଠରେ ?
ତୁଳସୀଧଣ୍ଡା କି ମହାପ୍ରସାଦ
ସାମୟିକ ଉତ୍ତେଜନା
ଭୋଟବେଳେ ଅବା
ଚଉକି ବଦଳାର ଷଡ଼ଯନ୍ତ୍ର
ପଶାପାଲିରେ !

ସମ୍ପର୍କ ଦେଖିବ ତ ଆସ
କର୍ଣ୍ଣ ଓ ଦୁର୍ଯ୍ୟୋଧନ,
ଅର୍ଜୁନ, ଶ୍ରୀକୃଷ୍ଣ
ରାଜା ରଣଜିତ ସିଂ ଓ ସେଇ ଗରିବ ବୁଢ଼ୀ
ସମ୍ପର୍କ ବୁଝିବ ତ ଦେଖ
ଦେଶକୁ ଜଗିରହିଥିବା ସୈନିକ
ଅବା ନୀତିଦିନ ରେଳଲାଇନ ପରଖୁଥିବା ଟ୍ରାକମ୍ୟାନ !!

ସମ୍ପର୍କକୁ ତଉଲନା ,
ରଙ୍ଗ ଦିଅନା ସମ୍ପର୍କକୁ
ଭାଗଭାଗ କରନା ଆଭିଜାତ୍ୟରେ,
ବିନାଆସକ୍ତିରେ
ଭଲ ପାଅ ତାକୁ
ଦେଖିବ ସମ୍ପର୍କ ଆପେଆପେ ଲମ୍ବିଯାଉଛି
ତମ ଭଲପାଇବାର
ପରିଧିରେ !!
--------------/////-------------
-ଶିବ ଶଙ୍କର ସାହୁ

ସମ୍ପର୍କ : ରେଳସଦନ, ଭୁବନେଶ୍ୱର
        @୯୪୩୭୫୮୪୫୮୯
           ୮୪୫୫୮୮୫୨୧୯


No comments: