ଜନମ ଦିନରୁ ମରଣ ପର୍ଯ୍ୟନ୍ତ
ଦେଉଛି ସେବା ଯୋଗାଇ
ଏନ୍ତୁଡ଼ି ଶାଳରୁ ଚିତାଗ୍ନି ପର୍ଯ୍ୟନ୍ତ
ଆମର ବନ୍ଧୁଟି ସେହି।।
ପର ଉପକାର ତାହାର ଜୀବନ
ବୃକ୍ଷଟି ତାହାର ନାମ
ଫଳ, ପତ୍ର, ପୁଷ୍ପ ଆଯାଚିତେ ଦେଇ
ତୋଷି ଥାଏ ପ୍ରାଣୀ ମନ।।
ବଞ୍ଚିବା ନିମନ୍ତେ ଦିଏ ଅମ୍ଳଜାନ
ଅଙ୍ଗାରକାମ୍ଳ କୁ ନିଏ
ପୃଥିବୀ ପୃଷ୍ଠକୁ ବାୟୁ ପ୍ରଦୂଷଣ
ସଦା ସିଏ ରୋକି ଥାଏ।।
ଅନନ୍ତ କାଳରୁ ମଣିଷ ସହିତ
ସାଥୀ ଚୀର ସହଚର
ତଥାପି ମଣିଷ ସ୍ୱାର୍ଥପର ହୋଇ
କରେ ତାକୁ ନାରଖାର।।
ବୃକ୍ଷ ହିଁ ଜୀବନ ଜଳ ଦିଏ ଦାନ
କରେ ମେଘ ମାଳା ସୃଷ୍ଟି
ତାହାରି ବିହୁନେ ଦେଖ ଆଜି ଦିନେ
ଦେଖା ଯାଏ ଅନା ବୃଷ୍ଟି।।
ବଞ୍ଚିଥିବା ବେଳେ ଖାଦ୍ୟ ଛାୟା ଦିଏ
ମରିଲେ ହୁଅଇ କାଠ
ମଣିଷଙ୍କ ପାଇଁ ସେବା କରି ଚାଲେ
ଭାବିଲେ ଲାଗଇ କଷ୍ଟ।।
ହେ ମଣିଷ ଜାତି ଦିଅ ନାହିଁ କାଟି
ବୃକ୍ଷ ହିଁ ଆମର ବନ୍ଧୁ
ନିଜ ହାତେ ନିଜେ ଧ୍ଵଂସ ଲୀଳା ରଚି
ଭାଗ୍ୟକୁ କାହିଁକି ନିନ୍ଦୁ ।।
ପଡିଆ ଜମିରେ ବାଡି ବଗିଚାରେ
ରୋପି ଦିଅ ଚାରା ଟିଏ
ସୁନ୍ଦର ସବୁଜ ଧରଣୀ ହସିବ
ବନ୍ଧୁତାର ପ୍ରେମ ମୋହେ।।
ରାମ ଚନ୍ଦ୍ର ମହାନ୍ତି
ଗ୍ରାମ ବାଣତୁମ୍ବ
ପୋଷ୍ଟ ବେଲଗୁଣ୍ଠ
ଜିଲ୍ଲା ଗଞ୍ଜାମ
ପିନ୍ କୋଡ ୭୬୧୧୧୯
ଓଡ଼ିଶା
No comments:
Post a Comment