((ମୋ ଜନ୍ମଭୂମି ))
ଓଡ଼ିଶା ରାଜ୍ୟରେ ଜନମ ହୋଇଛି
ମାତୃ ଭାଷା ମୋ' ଓଡ଼ିଆ
ଯେଉଁ ଭାଷାରେ ମୁଁ ହୁଏ କଥାବାର୍ତ୍ତା
ଶୁଣିଲେ ଲାଗେ ବଢିଆ ।।୧।
ଯାର ଫଳ, ଶସ୍ୟେ ଅଛି ମୋ ଜୀବନ
ସେ ତ ମୋର ଜନ୍ମ ଭୂମି
ସାରା ଭାରତରେ ସୁଜଳା, ସୁଫଳା
ନାମ ତା ଓଡ଼ିଶା ଭୂମି ।।୨।।
ପ୍ରକୃତିରେ ଭରା ଜନ୍ମ ଭୂମି ମୋର
ଅପରୂପ ମନୋହର
ବାର ମାସେ ଯଇଁ ତେର ଯାତ ହୁଏ
ନିଆରା ସଂସ୍କୃତି ତାର ।।୩।।
ଯା ପାଣି ପବନେ ଶରୀର ମୋ ପୃଷ୍ଟ
ଚାଲେ ନିଶ୍ଵାସ ପ୍ରଶ୍ୱାସ
ସେ ଦେଶ କୁଳରେ ହୋଇଛି ଯେ ବଡ଼
ରଖିବି ତାହାର ଯଶ ।।୪।।
ଯେଉଁ ଦେଶେ ଦିନେ ଲଭିଥିଲେ ଜନ୍ମ
ଧରମା,ବାଜିରାଉତ
ନିଜ ଦେଶ ଜାତି ମାଟି ମାଆଁ ପାଇଁ
ହୋଇଲେ ଜଗତେ ଖ୍ୟାତ ।।୫।।
କୋଣାର୍କ ମଥାରେ ଇଂରେଜ ଗୁଳିରେ
ଉଡେ ତ ତାଙ୍କରି ଛତି
ଜନ ମାନସରେ ଅକ୍ଷୟ ଅକ୍ଷରେ
ଅମର ରହିଲେ ଜିତି ।।୬।।
ଥିଲେ ବଡ଼ ବୀର ଥିଲେ କାରିଗର
ମଉଡ ମଣିର ଜାତି
ପୁରୁଷ ଉତ୍ତମ ବୀର ଖାରବେଳ
ଅନଙ୍ଗଭୀମ ଯଯାତି ।।,୭।।
ଯେଉଁ ଦେଶେ ଦିନେ ସାହିତ୍ୟ ଆକାଶେ
ଫୁଟିଥିଲେ ତାରା ମେଳେ
ଭଞ୍ଜ,ଜଗନ୍ନାଥ ସାମନ୍ତ ସିଂହାର
ସାରଳାଦି କବି କୁଳେ ।।୮।।
ସେହି ଦେଶ ଭାଷା ସେହି ଦେଶ ଗାଥା
ସେହି ମୋର ଜନ୍ମଭୂମି
ସେନେହ, ଶରଧା,କର୍ତ୍ତବ୍ୟ ପାଳନେ
ସେବିବି ଚରଣ ଚୁମି ।।୯।।
ଜନ୍ମ ଭୂମି ପାଇଁ ପ୍ରାଣ ବଳି ଦେଇ
କରିବି ଜୀବନେ ତ୍ୟାଗ
ବିଶ୍ଵ ଦରବାରେ ଭାରତ ବର୍ଷରେ
ଓଡ଼ିଶା ହୋଇବ ଆଗ
ଓଡ଼ିଶା ହୋଇବ ଆଗ।।୧୦।।
ଡମ୍ବରୁଧର ବେହେରା(ଶିକ୍ଷକ)
ଜବାହର ନବୋଦୟ ବିଦ୍ୟାଳୟ
ପାରଳାଖେମୁଣ୍ଡି,ଗଜପତି(ଓଡ଼ିଶା)
ସମ୍ପର୍କ - ୯୪୩୭୭୮୮୪୬୪
No comments:
Post a Comment