:: ବୃକ୍ଷ ମୋର ବନ୍ଧୁ ::
***********************
ବୃକ୍ଷ ମୋର ବନ୍ଧୁ !
ବୃକ୍ଷ ବନ୍ଧୁ ମୋର ସଖା ସହୋଦର
ପରିବାର ପରିଜନ ।
ପାଦପ ବିହୀନ ଥର,ରାଜସ୍ଥାନ
ଶୁଖିଲା ମରୂ ଉଦ୍ୟାନ ।।(୧)
ନଥିଲେ ସନ୍ତାନ ଆତ୍ମୀୟ ସ୍ଵଜନ
ଶୋଭା ପାଏନାହି ଘର ।
ନିସଙ୍ଗ ଜୀବନ ହୋଇବ ତେସନ
ହସିବ ନାହିଁ ସଂସାର ।।(୨)
ମୁରବି ବିହୀନ ହୋଇଲେ ସଦନ
ପିତା ମାତା ଗୁରୁଜନ ।
ଶୋଭା ପାଏ ନାହିଁ ଶାନ୍ତି ହେବ କାହିଁ
ବନ୍ଧୁ ବିନା ଏ ଜୀବନ ।।(୩)
ଅଂଶୁ ଘାତ ହେବ ପୃଥିବୀ ତାତିବ
ରବି କୋପେ ବସୁନ୍ଧରା ।
ଜୀବ ଓ ଜଗତ ହୋଇବେ ନିପାତ
ଶ୍ମଶାନ ହୋଇବ ଧରା ।।(୪)
କୃଷକ କଷଣ ହୋଇବ ଭୀଷଣ
ଶସ୍ୟ ଶ୍ୟାମଳା ବିହୀନ ।
ଖାଦ୍ୟର ଅଭାବ ଗ୍ରାସ କରିଦେବ
ଅଭାବ ଓ ଅନଟନ ।।(୫)
ଜଳ ହୋଇ ରୋଷ ପାତାଳେ ପ୍ରବେଶ
ତୃଷାରେ ହେବେ ଆତୁର ।
ଖାଦ୍ୟ ଶସ୍ୟ,ନୀର ଅଭାବରେ ନର
ମାର-ପିଟ ପରସ୍ପର ।।(୬)
ଫୁଲ,ଫଳ,ଛାଇ ପଲ୍ଲବିତ ହୋଇ
ଆଶ୍ରା ହୁଏ ସଭିଙ୍କର ।
ଦଧିଚୀ ଯେସନ କରେ ଅଙ୍ଗ ଦାନ
ଧର୍ମ ଯାର ଉପକାର ।।(୭)
ନିଜ ସ୍ଵାର୍ଥ ପାଇଁ ଦାନବ ସାଜଇ
ଆକ୍ରୋଶରେ ମାନବର ।
ସବୁଜ ବନାନୀ ଶ୍ରୀହୀନ ହେଲାଣି
ପରିବେଶ ନାରଖାର ।।(୮)
ବୃକ୍ଷ ବିନା ଜନ ବଞ୍ଚିବେ କେସନ
ସେବା ତ୍ୟାଗରେ ତାହାର ।
ସୃଜିଛି ଅବନୀ ପ୍ରାଚୁ ର୍ଯ୍ୟକୁ ଘେନିସମ୍ପ
ଦ ଶୋଭା ସମ୍ଭାର।।(୯)
ସଖା ସହୋଦର ଆମ ପରିବାର
ଆତ୍ମୀୟ ସ୍ଵଜନ ପରି ।
ବୃକ୍ଷ ଆମ ବନ୍ଧୁ କରୁଣାର ସିନ୍ଧୁ
ପ୍ଳାବିତ ଧରଣୀ କରି ।।(୧୦)
***********************
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ପୋଷ୍ଟ- କୁଲାଡ଼, ଭଞ୍ଜଭୂମି,
ଭଞ୍ଜନଗର,ଗଞ୍ଜାମ - ୭୬୧୧୩୧
ଭ୍ରାମ୍ୟଭାଷ - ୯୪୩୮୧୮୯୯୪୮
***********************
No comments:
Post a Comment