:: ବୃକ୍ଷ ମୋର ବନ୍ଧୁ ::
ଜନନୀ ଜଠରୁ ଜନମିଲା ପରେ ବୃକ୍ଷ ପାଇଁ ମିଳେ ଜୀବନ
ଖାଦ୍ୟ, ବସ୍ତ୍ର, ବାସଗୃହ ସର୍ବୋପରି ଅମ୍ଳଜାନ କରେ ପ୍ରଦାନ।।
ବନ୍ଧୁର ସଂଜ୍ଞାରେ ସବୁଦିଗେ ଉର୍ଦ୍ଧେ ପରମ ଆତ୍ମୀୟ ରୂପରେ
ପିତା, ମାତା ଭଳି ବାନ୍ଧିରଖେ ସଦା ଅକପଟ ସ୍ନେହ ପ୍ରୀତିରେ।।
ଅନ୍ତୁଡ଼ି ନିଆଁର ସ୍ଵାଗତରେ ସାଥୀ ଶେଷ ଶ୍ମଶାନର ଚିତାରେ
ଦୁବ ଠାରୁ ଦ୍ରୁମ ସବୁ କ୍ଷେତ୍ରେ ସେବା କରେ ଥିବା ଯାଏଁ ପୃଥ୍ଵୀରେ।।
ବୃକ୍ଷ ଦାନକରେ ପତ୍ର, ଫୁଲ, ଫଳ, ଚେର,ମୂଳ ଶେଷେ ନିଜକୁ
ବାୟୁ ପ୍ରଦୂଷଣ ରୋଧିବା ସହିତ ରୋଧଇ ମୃତ୍ତିକା କ୍ଷୟକୁ।।
ବୃକ୍ଷର ସକାଳ ପକ୍ଷୀ, କାକଳିରେ ସଞ୍ଜ ଘର ଲେଉଟାଣିରେ
ନାନା ଜାତି ପକ୍ଷୀ, ଜୀବ, ସରୀସୃପ ବିଶ୍ୱାସର ନୀଡ଼ ବୃକ୍ଷରେ।।
ରଜପର୍ବ ଆସେ ତୋ' ବୃକ୍ଷ ଡାଳରେ କୁଆଁରୀ ଝିଅର ଗୀତରେ
ପୋଡପିଠା ସାଥେ ଆମ୍ବ ପଣସରେ ମହକେ ବାଗୁଡ଼ି ଖେଳରେ।।
ବୃକ୍ଷ ପାଇଁ ଋତୁଚକ୍ର, ଜଳଚକ୍ର ବର୍ଷା କରେ ସୃଷ୍ଟି ସର୍ଜନା
ଉତ୍ ଫୁଲେ କୃଷକ ଯୋଗାଡେ ଲାଗଇ ବର୍ଷକର ଶସ୍ୟ ଦାନା।।
ଐତିହ୍ୟର ସାକ୍ଷୀ ପ୍ରାଣ ସଂଯିବନୀ ଆମ ବୃକ୍ଷ ବନସମ୍ପଦ
ପ୍ରକୃତି ଆଶୀଷ ଜୀବ ତତ୍ତ୍ୱ ମୂଳ ଚିକିତ୍ସାରେ ଆୟୁର୍ବେଦ।।
ସୃଷ୍ଟି ରକ୍ଷା ପାଇଁ ନୀଳକଣ୍ଠ ସାଜି ଅଙ୍ଗାରକାମ୍ଳକୁ ପିଅଇ
ବକ୍ଷର ଅମୃତ ରୂପେ ଅମ୍ଳଜାନ ମା' ରୂପେ ଆମକୁ ପିଆଇ।।
ବୃକ୍ଷ ପାଇଁ ବନ ଜୀବଜନ୍ତୁ ଗଣ କରନ୍ତି ଆହାର ବିହାର
ବୃକ୍ଷ ପାଇଁ ଆସବାବ୍ ପତ୍ର ସବୁ ଜୀବର ସୌଖୀନ ସମ୍ଭାର।।
ବୃକ୍ଷ ଆମପାଇଁ ବାଞ୍ଛା କଳ୍ପବଟ ବନ୍ଧୁ, ସଖା, ସାଥୀ, ସୋଦର
ବୃକ୍ଷେ ଗଢ଼ା ଆମ କାଳିଆ ଠାକୁର ଗର୍ବ ଗଉରବ ବିଶ୍ବର।।
ଶ୍ରେଷ୍ଠ ଜୀବ ହୋଇ ବିବେକ ହରେଇ ପାଶ୍ଚାତ୍ୟ ପ୍ରେମରେ ପଡିଣ
ବିକାଶ ନାମରେ ବିନାଶ ରଚୁଛି କଂକ୍ରିଟ ଜଙ୍ଗଲ ଗଢିଣ।।
ସୁଜଳା, ସୁଫଳା ଧରିତ୍ରୀ ମାଆକୁ କଳ କାରଖାନା ଧୂଆଁରେ
ବିଂଜ୍ଞାନ ଯୁଗର ଡିଣ୍ଡିମ ବଜେଇ ନିଜ କାଳ ନିଜେ ଡାକେରେ।।
ଆମରି ପ୍ରୟାସେ ହସିବ ଏ' ମହୀ ନୂତନ ସବୁଜ ଧାରାରେ
ମିଳିମିଶି ଆଜି ସଂକଳ୍ପ କରିବା ଲଗେଇ ଗଛର ଚାରାରେ।।
ବୃକ୍ଷ ମୋର ବନ୍ଧୁ ଜଗତର ବନ୍ଧୁ ଆମ ପରପିଢ଼ି ଜାଣିବ
ପ୍ରତ୍ୟେକ ମଣିଷ ହରଷ ଚିତ୍ତରେ ବୃକ୍ଷକୁ ରୋପଣ କରିବ।।
ଜଗତ ହସିବ ଫୁଲ ବରଷିବ ସବୁ ଓଠେ ହସ ଭରିଣ
ସବୁଜ ଶାଢ଼ୀରେ ହସିବ ଧରଣୀ ଫୁଲ ଫଳେ ଭରି ପୋଷଣ।।
ଈଶ୍ଵରୀ ବେହେରା
ସୋର, ବାଲେଶ୍ବର ।
No comments:
Post a Comment