::: ତୁମର ମୋର ସମ୍ପର୍କ :::
ମୁଁ ଯଦି ସାଜିବି ନୂଆଁ ପୃଥିବୀଟେ
ତୁମେ ତା' ଦିଗ୍ ବଳୟ,
ମୁଁ ଯଦି ସାଜିବି ମହ ମହ ଧୂପ
ତୁମେ ତା' ସୁଗନ୍ଧମୟ।
ମୁହିଁ ହେଲେ କେବେ କୁନି ଫୁଲଟିଏ
ତୁମେ ତ ତା'ର ସୁରଭି,
ଉଜ୍ଜ୍ବଳ ଆଲୋକ ସାଜିବ ତ ତୁମେ
ମୁଁ ସାଜିବି ଯେବେ ରବି।
ମୁଁ ହେବି ପଉଷ ଶୀତୁଆ ସକାଳ
ତୁମେ ତ କାକର ବିନ୍ଦୁ,
ବୁନ୍ଦା ବୁନ୍ଦା ଜଳ ତୁମେ ସାଜିଥିବ
ମୁଁ ସାଜିଲେ ମହାସିନ୍ଧୁ।
ମୁଁ ସାଜିଲେ କେବେ ଧାଡିଏ କବିତା
ତୁମେ ତ ତାହାର ଗୀତି,
ସାଜିଲେ ମୁଁ ଚିର ଶାଶ୍ଵତ ପ୍ରେମ
ତୁମେ ତ ତାହାର ପ୍ରୀତି
ଭାବୁକଟିଏ ମୁଁ ହୋଇଯାଏ କେବେ
ତୁମେ ତ ତା'ର ଭାବନା,
କବିଟିଏ ଯଦି ହୋଇଯାଏ ମୁହିଁ
ତୁମେ ତ ମୋର କଳ୍ପନା।
ପୂର୍ଣ୍ଣିମା ଆକାଶେ ସାଜିଲେ ମୁଁ ଜହ୍ନ
ତୁମେ ତ ତା'ର ଯୋଛନା,
ପ୍ରେମର ବଇଁଶୀ ସାଜିଲେ ମୁଁ ପ୍ରିୟା
ତୁମେ ମଧୁର ମୂର୍ଚ୍ଛନା।
ମୁଁ ହୋଇବି ଯେବେ ମହାକାଶଟିଏ
ତୁମେ ତ ମହାଶୂନ୍ୟ,
ସମୁହ ସ୍ବାର୍ଥରେ ସ୍ବାର୍ଥ ମୁଁ ତେଜିଲେ
ତୁମେ ତ ମହାପୂଣ୍ଯ।
ଆଖି ପାଇଁ ମୁହିଁ ନିଦଟିଏ ହେଲେ
ତୁମେ ସେ ନିଦେ ସପନ,
ପ୍ରେମ ପାଇଁ ମୁହିଁ ପ୍ରତିଦାନ ହେଲେ
ତୁମେ ତ ତା'ର ଚୁମ୍ବନ।
କେବେ ଯଦି ହୁଏ ଅମାରାତିଟିଏ
ତୁମେ ତ ତା'ର ଅନ୍ଧାର,
ହାତର ପାପୁଲି ହୋଇଯାଏ ମୁହିଁ
ତୁମେ ତା'ଭାଗ୍ୟ ଗାର।
ମୁଁ ସାଜୁଛି ଯେବେ କପାଳଟିଏ
ତୁମେ ତ କପାଳ ଲେଖା,
ସୁଖେ ଦୁଃଖେ ସଖୀ ତୁମେ ହେଲେ ମୋର
ମୁଁ ହେବି ତୁମର ସଖା।
ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ।
ପିନ୍: ୭୬୧୧୦୫
ମୋ: ୯୮୬୧୭୩୨୨୫୬
No comments:
Post a Comment