●◆ଦେଶପ୍ରେମୀ◆●
ଜାତୀୟ ପତାକା ଜାତୀୟ ସମ୍ପତି
ସର୍ବଦା ସମ୍ମାନ ଉଚ୍ଚ
ନିଜ ସ୍ୱାର୍ଥ ତେଜି ରାଷ୍ଟ୍ର ସ୍ୱାର୍ଥ ହେଜି
କରିବାନି କେବେ ନୀଚ ।।
ଅର୍ଥର ଲାଳସା କାମନା ପିପାସୁ
ସର୍ବ ସୁଖ ବଳିଦାନେ
ଦେଶର ସେବାରେ ଜୀବନ ଦେବାରେ
ପର ହିତ ଧର୍ମ ଦାନେ ।।
ସୀମାରେ ସୈନିକ ବୀର ତେଜିୟାନ
ଖରା ବର୍ଷା ଜାଡ ସହି
ଶତ୍ରୁ କବଳରୁ ସୁରକ୍ଷା ପ୍ରଦାନେ
ଜୀବନକୁ ବଳି ଦେଇ ।।
ମାତୃଭକ୍ତି ପାଇଁ ଶତ୍ରୁ ତୋପ ସହି
ପଛଘୁଞ୍ଚା ନ ଦିଅନ୍ତି
ଛାତିରେ ସହସ୍ର ଗୁଳି ସହ୍ୟ କରି
ସହୀଦ ମା'ର ହୁଅନ୍ତି ।।
ଗରିବ କଲ୍ୟାଣ ନିରୀହ ଜନଙ୍କୁ
ଉଦ୍ଧରିବା ପାଇଁ ସଦା
ନିଜ କୁଟୁମ୍ବକୁ ଜଳାଞ୍ଜଳି ଦେଇ
ଅଗ୍ରସର କେତେ ଦାଦା ।।
ଅଶୋକ ଚାଣକ୍ୟ ଚନ୍ଦ୍ରଗୁପ୍ତ ସମ
ଅଖଣ୍ଡ ଭାରତ ସ୍ୱପ୍ନ
ଲଷ୍ମୀବାଇ ଖାରବେଳ ସମ ସାଜି
ବିପଦକୁ କର ଭଗ୍ନ ।।
ମଧୁ ଗୋପବନ୍ଧୁ ବିଜୁ ମହାତ୍ମାଙ୍କ
ଅମର ମହାନ ଗାଥା
ଦେଶପ୍ରେମୀ କାବ୍ୟ କବିତା ରଚିବା
ତଳକୁ ନକରି ମଥା ।।
ପୂର୍ବ ଇତିହାସ ପୂର୍ବ କୀର୍ତି ଭାବି
ରଖିବା ପୂରୁବ ଯଶ
ଲୌହମାନବକୁ ଆଦର୍ଶ ମାନିବା
ଗର୍ଵକୁ ନକରି ଆଶ ।।
କୃଷକ ହୋଇବା ଶସ୍ୟ ଉପୁଜେଇ
ଦେଶକୁ ଆହାର ବାଣ୍ଟି
ନିଜେ ଓପାସରେ ଗରିବ ପୋଷିବା
ଧରିବା ସ୍ୱାର୍ଥର ତଣ୍ଟି ।।
ପ୍ରକୃତରେ ସତ୍ୟ କୃଷକ ସୈନିକ
ମହାନ ସେ ଦେଶପ୍ରେମୀ
ତାଙ୍କରି ଗୁଣକୁ କଣ୍ଠେ ଗାଇଯିବା
ହୋଇ ରାଷ୍ଟ୍ର ଅନୁଗାମୀ ।।
ସଂସ୍କୃତି ସମ୍ମାନେ ଭାରତକୁ କରି
ସ୍ଵର୍ଗାଦପୀ ଗରୀୟାନ୍
ଗର୍ଵରେ ଗାଇବା ସମବେତ କଣ୍ଠେ
ଜୈ ଜବାନ୍ ଜୈ କିଷାନ୍ ।।
ତପନ କୁମାର ଦାଶ୍
ଶିକ୍ଷକ,ଥୁ:ରାମପୁର, କଳାହାଣ୍ଡି
୯୪୩୮୪୧୫୯୫୫
No comments:
Post a Comment