*କୃଷକ*
****************
ସୁଯୋଗ୍ୟ ସନ୍ତାନ ଏ ମାଟି ମାଆର
ଶାନ୍ତ, କୋମଳ ହୃଦୟଟି ତା'ର..
ତା'ବିନା ସାରା ଦୁନିଆଁ ଅନ୍ଧାର,
ସେଇତ କୃଷକ ବୀର ।।
ଶୀତ, ବର୍ଷା ଅବା ଝାଞ୍ଜି ଖରାରେ
ମୁଣ୍ଡ ଝାଳ ତୁଣ୍ଡେ ମାରେ..
ଦି' ମୁଠା ଅନ୍ନ ମୁଖେ ଦେବାପାଇଁ,
ବିଲରେ ଖଟେ ରକତକୁ କରି ପାଣି ।।
ଅନାବୃଷ୍ଟି ସାଜେ କୃଷକର ଘାତକ
ଶ୍ରାବଣ ଆକାଶେ ଚାହିଁରହେ ହୋଇ ଚାତକ..
ବିଳମ୍ବରେ ହେଲେ ମଧ୍ୟ ବର୍ଷାରାଣୀ ଦୁଃଖ ତା'ର ବୁଝେ,
ଅମାପ ଖୁସିର ଜୁଆର ଖେଳିଯାଏ ହୃଦେ ।।
କର୍ମେ ହୁଏ ତତ୍ପର ଧରି ହଳ ଲଙ୍ଗଳ
ସତେକି ତା' ଅପେକ୍ଷାରେ ଥାଏ ବିଲ..
ସ୍ନିଗ୍ଧ ପରିବେଶେ ଗାଇ ହଳୁଆ ଗୀତ,
ମନକୁ କରେ ପ୍ରଫୁଲ୍ଲିତ ।।
ବାସୀ ପଖାଳରେ ପେଟ ତା'ର ପୂରେ
ଖୁସିରେ ଅବା ଦୁଃଖରେ..
ଦୁନିଆ ପାଇଁ ଜୀବନ ଉତ୍ସର୍ଗ କରେ,
ତାହା ବୁଝିଛିକି କିଏ ଥରେ ?
ଦିନରାତି ଧରି କର୍ତ୍ତବ୍ୟକୁ ପାଳେ
ସମୟର ତାଳେ ତାଳେ..
ପରିଶ୍ରମ କରି ପଞ୍ଜରା ହାଡ଼ ତା'ର ଦିଶେ,
ମାଟିର ମଣିଷ ମାଟିରେ ହିଁ ଶେଷେ ମିଶେ ।।
ଦୁନିଆର ସିଏ ଅନ୍ନଦାତା ଜାଣ
ତଥାପି ନାହିଁ ତା' ମାନ..
କୃଷକ ବିନା ଦେଶର ଉନ୍ନତି କାହିଁ,
ସ୍ଵାର୍ଥପର ଦୁନିଆଟା ଏକପାଦ ଯିବ ନାହିଁ ।।
ଶାନ୍ତ ଗହିର,କେସିଙ୍ଗା,କଳାହାଣ୍ଡି
No comments:
Post a Comment