କୃଷକ
କୃଷକ ବିଷୟରେ ମୁଁ କଣ ବା ଲେଖିବି....
ତା'ର ସେହି ଜୁଝିଲା ବଳ,
ମେଦିନୀ ଫଟା ଟାଣୁଆ ହାତ ର କସରତ କଥା,
ଏହୁଁ ଏହୁଁ ହାତିକିଆ ବଳିଷ୍ଠ ବାଙ୍କୁଲା ଶିଙ୍ଗ ବାଲା ବଳଦ ଦିଓକୁ ଯାଇ ପଚାର..
ସେ କହିବେ ତା'ର ଆତ୍ମକଥା । (୧)
ତା'ର ଓଦା କନା ପକା-
ଫାଙ୍କୁଆ ପେଟର ଦାଉ ଦାଉ ବାଦୁଆ ଭୋକ ର କଷ୍ଟ କଣ
ସେହି ଜହରୀ ଲଙ୍କା ଆଉ ତେଢା ରସଥାଳୀ ର ଢେମା ଢେମା ତଷୁଆ ଭାତକୁ ପଚାର...
ସେ ବି କହିବ ତା'ର ଆତ୍ମକଥା । (୨)
ସଡସଡିଆ ଭୋଦୁଅ ରେ
ପାଣି ପଚ ପଚ କାଦୁଅ ସନ୍ଧିର
ରାଉ ରାଉ ବ୍ରାହ୍ମଣୀ ବେଙ୍ଗକୁ ଯାଇ ପଚାର...
ସେ କହିବ ତା'ର ଆତ୍ମକଥା । (୩)
ଅଖାଡୁଆ ଅଶିଣ ରେ
ସେହି କ୍ଷୀର ଖିଆ ଗଜୁରା ଧାନକେଣ୍ଡା ରୁ
ଧପ ଧପ ଖସୁଥିବା ସେହି କାଲୁଆ କାକର ବିନ୍ଦୁ ଙ୍କୁ ପଚାର...
ସେ କହିବେ ତା'ର ଆତ୍ମକଥା । (୪)
ନହୁଲି କାର୍ତ୍ତିକ ର
କୁହୁଡି ଢଙ୍କା ବାମ୍ପୁଆଣୀ ସକାଳର
ସେହି କଷରା ସୂରୁଜରେ ଚିକ୍ ଚିକ୍ କରୁଥିବା ହଲ ହଲ ପାତିଆ ଧାନପତ୍ରକୁ ଯାଇ ପଚାର...
ସେ ବି କହିବ ତା'ର ଆତ୍ମକଥା । (୫)
ଅହ୍ୟ ସୁଲକ୍ଷଣୀ ମଗୁଶିର ରେ
ଧାନ ମାଣିକା ଓଷେଇତି ଚାଷୁଣୀ ର
ସେହି ଲିପା ନିଛିପର ଝୋଟି ପକା ମାଟି ଅଗଣାରେ ଗଡୁଥିବା ହଳଦୀ ଗଣ୍ଠି ଶୁକ୍ଳଧାନ ହଳା କୁ ପଚାର...
ସେ କହିବ ତା'ର ଆତ୍ମକଥା । (୬)
ତା'ର ମଟାଳିଆ କଷରା
ଗାମୁଛା ଆଉ ତା ଲଙ୍ଗଳା ଛୁଆଙ୍କ ବୋତାମ ଛିଣ୍ଡା ଖୋଲା ଜାମା କଥା
ସେହି ରକତ ଶୋଷା ଲମ୍ବା ଶୁଣ୍ଢ ମଶା ଡାଆଁସ ଭଳି ସାହୁକାର ମହାଜନକୁ ପଚାର...
ସେ କହିବେ ତା'ର ଆତ୍ମକଥା ।(୭)
କିଏ ଜାଣୁ ବା ନଜାଣୁ
ଏ ଆକାଶ ବୁଢ଼ା ସାକ୍ଷୀ
ବାଙ୍କେଇ ନଈ ବି ଜାଣିଛି
ସେହି ଲମ୍ବେଇ ବେଣାପାଟ ବି ସାକ୍ଷୀ
ଗାଁ ମୁଣ୍ଡ ଜଝାଲ ବରଗଛ ବି ଜାଣିଛି
ତା ଜୀବନର ସେହି ଦୁଃଖ କଷ୍ଟର ଆତ୍ମକଥା । (୮)...
ରୋଜାଲିନ ବେହେରା
କଟକ, ଫୁଲନଖରା....
No comments:
Post a Comment