ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଡଃ ପଦ୍ମଲୋଚନ ରାଉତ , ମାଲକାନଗିରି

    ରାକ୍ଷୀ
--------------

ମୋ ଦେଶ ଭାରତ ଜଗତରେ ଶ୍ରେଷ୍ଠ 
       ସଂସ୍କୃତି ତାର ମହାନ 
ଦୟା ପ୍ରେମ ଶାନ୍ତି ବନ୍ଧୁତା ବନ୍ଧନେ 
       ସମର୍ପିତ ପ୍ରତି ପ୍ରାଣ  l   1

ଶାନ୍ତି ପ୍ରଦାୟିନୀ ଆର୍ଯ୍ୟl ବର୍ତ୍ତ ଭୂମି 
    ଜଗତେ କଲ୍ୟାଣ କରି 
ଏକତା ବନ୍ଧନେ ବାନ୍ଧିଛି ଜଗତ 
       ବୈରୀ ଭାବ ପରିହରି  l  2

ପରିବାର ଆମ ବୈକୁଣ୍ଠ ପୁର 
   ସେନେହ ମମତା ଡୋରୀ 
ଭାଇ ଭଉଣୀର ପବିତ୍ର ସମ୍ପର୍କ 
     ଆଶିଷ ପଡଇ ଝରି  l  3

ଧାରା ଶିରାବଣେ ବାରି ପଡେ ଝରି 
    ଗଗନେ ବଉଦ ମାଳ 
ବଳଦେବ ଜନ୍ମ ରୋହିଣୀ ଗରଭୁ 
     ପୂଜା ପାଏ ଚାଷୀ ହଳ l   4

ଶ୍ରାବଣ ମାସରେ ଗହ୍ମା ପୁନେଇଁ 
     ଜନ୍ମିଛନ୍ତି ବଳରାମ 
ହଳ ମୁଷଳ ଧାରୀ ମହାପ୍ରଭୁ 
     ନୀଳାଚଳେ ବିଦ୍ୟମାନ  l  5 

ପୂଜା କରେ ଚାଷୀ ତା ହଳ ଲଙ୍ଗଳ 
      ଭକତିରେ ଗୋରୁ ଗାଇ 
ଗୋ-ବତ୍ସା ଚରାଇ ଲୀଳା କରିଛନ୍ତି 
    ଗୋପ ଦାଣ୍ଡେ ଦୁଇ ଭାଇ  l   6 

ଭାଇର ହାତରେ ମମତାର ଡୋରୀ 
    ଅଟେ ଭଉଣୀର ରାକ୍ଷୀ 
ରକ୍ଷାକରେ ଭାଇ ଭଉଣୀ ଜୀବନ 
    ରାକ୍ଷୀ ପରା ତାର ସାକ୍ଷୀ  l  7

ବାସୁଦେବ ହାତେ ବାନ୍ଧିଥିଲା ଡୋରୀ 
    ପାଞ୍ଚାଳୀ ବସନ ଚିରି 
କୋଟି ବସ୍ତ୍ର ଦେଇ ଲଜ୍ୟା ନିବାରିଲେ 
    ଦୁଷ୍ଟ ବୁଦ୍ଧି ନାଶ କରି  l    8

ପୁରାଣରେ ଅଛି ଅନେକ ପ୍ରମାଣ 
     ଶ୍ରାବଣ ପୁନେଇଁ କଥା 
ଇନ୍ଦ୍ର ହାତେ ବାନ୍ଧିଥିଲେ ଶଚୀ ଦେବୀ 
    ରକ୍ଷା କବଚର ସୂତା  l   9 

ବୃତ୍ରାସୁରକୁ ବଧି ଥିଲେ ଇନ୍ଦ୍ର 
    ଶ୍ରାବଣ ପୁନେଇଁ ଦିନ 
ପାତାଳେ ଚାପିଲେ ବଳୀକୁ ଶ୍ରୀହରି 
   ବାମନ କରି ଧାରଣ  l 10

କୂଟ ଭିଆଇଲେ ଦେବୀ ପଦ୍ମାଳୟା 
     ବ୍ରାହ୍ମଣୀ ରୂପକୁ ଧ୍ୟାୟୀ 
ବଳୀ ମଣି ବନ୍ଧେ ବାନ୍ଧି ଥିଲେ ରାକ୍ଷୀ 
    ଏଇ ସେ ଗହ୍ମା ପୁନେଇଁ  l 11

ବରଷକେ ଥରେ ରକ୍ଷା ବନ୍ଧନ 
    ଗହ୍ମା ପୁନେଇଁରେ ଆସେ 
ଶରଧାରେ ବାନ୍ଧି ଭାଇ ହାତେ ରାକ୍ଷୀ 
     ଭଉଣୀ ଶୁଭ ମନାସେ  l  12

ରାକ୍ଷୀ ନୁହେଁ ଏହା ମୋ ରକ୍ଷା କବଚ 
       ଜୀଇଁ ରହି ଥବା ଯାଏ 
ପର ଘରେ ଆଉ ଭାଇ ବିନା ମୋତେ 
    ରକ୍ଷା ତ କରିବ କିଏ l  13

କାଳିଆ ବଳିଆ ହାତରେ ଭଉଣୀ 
    ସୁଭଦ୍ରା ବାନ୍ଧୁଛି ରାକ୍ଷୀ 
ସ୍ନେହ ମମତାର ଅତୁଟ ବନ୍ଧନ 
    ଜଗତ ହସୁଚି ଦେଖି l  14 

ଘରେଘରେ କେତେ ମିଠା ପିଠା ପଣା
   ମାଆର ହାତ ପରଶl 
ଭାଇ ଭଉଣୀର କେତେ ହସ ଖୁସି 
   ଅଭିମାନ ରାଗ ରୁଷା  l  15

ଆଜି ବି ଭଉଣୀ ଭାଇ ହାତରେ 
   ଆଦରେ ବାନ୍ଧୁଛି ରାକ୍ଷୀ 
ଭାଇ ଅଟେ ମୋର ଅତି ଆପଣାର 
     ସୁଖ-ଦୁଃଖର ସାକ୍ଷୀ  l  16

ଦେଶର ରକ୍ଷକ ବୀର ସୈନିକ 
   ବାନ୍ଧି ରାକ୍ଷୀ ତାଙ୍କ ହାତେ 
ତାଙ୍କଠାରୁ ଅଟେ କିଏ ବଡ଼ ଭାଇ 
   ଏ ଆର୍ଯ୍ୟl ବର୍ତ୍ତ  ଭାରତେ  ?   17

ଆସ ଆସ ବାରେ ମୋ ପ୍ରିୟ ଭଉଣୀ 
   ହାତେ ଧରି ସୁନା ରାକ୍ଷୀ 
ସେ ମମତା ଡୋରୀ ଭାଇହାତେବାନ୍ଧି 
   ହୁଅ ହେ ପରମ ସୁଖୀ  l  18

       ++++
# ଡଃ ପଦ୍ମଲୋଚନ ରାଉତ 

ମାଲକାନଗିରି

No comments: